ଢେଙ୍କାନାଳରେ ୭୫ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ, ଜାତୀୟ ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ – ଶ୍ରୀ ଭୁମେଶ ଚନ୍ଦ୍ର ବେହେରା

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଢେଙ୍କାନାଳ :-  ଜିଲ୍ଲା ସଦରମହକୁମାରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ଷ୍ଟାଡିୟମରେ ସକାଳ ୯:୧୫ ମି ସମୟରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଢେଙ୍କାନାଳ ପୋଲିସ୍ ବାହିନୀ, ଓଏସ୍ଏପି ପ୍ରଥମ ବାଟାଲିୟନ ଓ ବ୍ୟାଣ୍ଡ୍ ଦଳ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇ ଜାତୀୟ ପତାକାକୁ ସମ୍ମାନ କରାଯାଇଥିଲା । ଦିବସର ମୁଖ୍ୟ ଅତିଥି, ଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ। ଢେଙ୍କାନାଳ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଅବଦାନ ଅବିସ୍ମରଣୀୟ ବୋଲିି ପ୍ରକାଶ କରିଥିଲେ।

ଏଠାକାର ଗଜଲକ୍ଷ୍ମୀ ପୂଜା, ମହିମା ଧର୍ମ, କପିଳାସ ପୀଠ, ସପ୍ତଶଯ୍ୟା, ଭୁବନର ବଳଦ ଯାତ୍ରା, ଡୋକ୍ରା କାର୍ଯ୍ୟ ପାଇଁ ଢେଙ୍କାନାଳ ଜିଲ୍ଲା ଗର୍ବିତ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଏବଂ ଜିଲ୍ଲାର ଦଦରାଘାଟି, ଦଣ୍ଡାଧର ଜଳପ୍ରପାତ ଓ ବିଷ୍ଣୁ ଅନନ୍ତ ଶୟନ ପର୍ଯ୍ୟଟନ ସ୍ଥଳୀକୁ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ ମିଶନ ଶକ୍ତିରେ ୧୮ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସ୍ବାସ୍ଥ୍ୟସେବା,

ଶିକ୍ଷା ଆଦି ଉନ୍ନତିକରଣ କାର୍ଯ୍ୟକ୍ଷମ ହୋଇପାରିଛି ଏବଂ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଓ ଜନ ସାଧାରଣଙ୍କ ସହଯୋଗରେ ଢେଙ୍କାନାଳର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଦୀର୍ଘ ୭୦ ବର୍ଷ ପରେ ସୁନାଭରଣ ବେଶ ହୋଇପାରିଛି ବୋଲିି ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି, ଜିଲ୍ଲା ସ୍ତରୀୟ ବକ୍ତୃତା,ପ୍ରବନ୍ଧ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ ପ୍ରତିଯୋଗିତା ମାନଙ୍କର କୃତୀ ପ୍ରତିଯୋଗୀ, କରୋନା ଯୋଦ୍ଧା ଏବଂ ବିଭିନ୍ନ ଅନୁଷ୍ଠାନ ସଦସ୍ୟମାନଙ୍କୁ ସମ୍ମାନୀତ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଦ୍ଵାରା ସହରରେ ସକାଳେ ରାମଧୂନ୍ ଗାନ କରାଯାଇଥିଲା। ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଚାମ୍ବର ଅଫ କମର୍ସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଜିଲ୍ଳା କାରାଗାରର କଏଦୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସେହିପରି ଲାୟନ୍ସ କ୍ଲବ ଓ ଅକ୍ଷମ କଲ୍ୟାଣ ସମିତି ପକ୍ଷରୁ ବଧିର ଅନ୍ତେବାସୀ, ରେଡକ୍ରସ ରାପିଡ୍ ରେଶନ ଟିମ୍ ଏବଂ ବିଶ୍ବ ଚେତନ ଅନୁଷ୍ଠାନ ପକ୍ଷରୁ ଆଦୃତା ଶିଶୁ ଗୃହ ଅନ୍ତେବାସୀଙ୍କୁ, ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଗୋବିନ୍ଦପୁର ସ୍ଥିତ ଜରାଶ୍ରମ ଅନ୍ତେବାସୀଙ୍କୁ ଏବଂ ଜିବନ ଜ୍ୟୋତି ପକ୍ଷରୁ ଜିବନ ଜ୍ୟୋତି ଭିନ୍ନକ୍ଷମ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ପବିତ୍ର ଅବସରରେ ବନ ବିଭାଗ ପକ୍ଷରୁ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀଙ୍କ ନାମରେ ନାମିତ ଲକ୍ଷ୍ମୀଧର ମୁନିସପାଲ ହାଇସ୍କୁଲ ପରିସରରେ ମୁଖ୍ୟ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ।

ଏହି ଜାତୀୟ ପତାକା ପାଳନ ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ ଶିବା ସୁବ୍ରମଣ୍ୟମ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଯୋଗିନେନୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ,ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରୀପାଠୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version