କପିଳାସ ପୀଠ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟ ସୁନାଭରଣ ବେଶ ଅନୁଷ୍ଠିତ – ଢେଙ୍କାନାଳ।

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ଢେଙ୍କାନାଳ :- ଆଜି ଜିଲ୍ଲା କପିଳାସ ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟରେ ସୁନାଭରଣ ବେଶ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଓ ଯୁବରାଜ ଶ୍ରୀ ଅମରଜ୍ୟୋତି ସିଂହଦେଓ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଦେବୋତ୍ତର ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ୭୦ ବର୍ଷ ପୂର୍ବେ ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ସୁନାର ପଞ୍ଚବକ୍ର ମୁକୁଟ ଚୋରି ହେଉଥିବା ଜଣାଯାଏ ।

ସେବେଠାରୁ ଜିଲ୍ଲାର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ନାଗାଭରଣ ବେଶ ରୁପାର ମୁକୁଟରେ ଅନୁଷ୍ଠିତ ହୋଇଆସୁଛି। ତେବେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନ ଓ ପ୍ରକଳ୍ପ ନିର୍ଦ୍ଦେଶକ, ଦେବୋତ୍ତରଙ୍କ ନେତୃତ୍ୱରେ ଏହି ପଞ୍ଚବକ୍ର ସୁନାର ମୁକୁଟ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ମୁକୁଟଟି ୧ କେଜି ୯୧୦ ଗ୍ରାମ ସୁନାରେ ନିର୍ମିତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ଅଟେ ।

ଏହା ମୁଖ୍ୟତଃ ଭକ୍ତମାନଙ୍କ ଦାନ ଅର୍ଥ ଏବଂ ଦେବୋତ୍ତର ବିଭାଗର ଆର୍ଥିକ ସହଯୋଗରେ ନିର୍ମିତ ହୋଇଛି। ଏହି ନାଗାଭରଣ ବେଶ ପୁଷ୍ୟାଭିଷେକ, ଜାଗର, ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେବ। ଏହି ଅବସରରେ ମାନ୍ୟବର ଖଣି ଇସ୍ପାତ ପୁର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆରକ୍ଷୀ ଅଧିକ୍ଷକ ଶ୍ରୀ କେ ଶିବା ସୁବ୍ରମଣ୍ୟମ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶଙ୍କ ସମେତ ବିଭାଗୀୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ ), ଢେଙ୍କାନାଳ।

Exit mobile version