ରାସ୍ତା ଅବସ୍ଥା ଶୋଚନୀୟ, ଯୁବକମାନେ ରାସ୍ତାରେ ଧାନ ଲଗାଇଲେ

ଓଡ଼ିଶା ତାଜା ନ୍ୟୁଜ ( ୮ ଅଗଷ୍ଟ ରବିବାର ) କଳାହାଣ୍ଡି :- ନର୍ଲା ବ୍ଲକର ସରିଆଁ ପଞ୍ଚାୟତ ଅଧୀନ ଚିଆଁପଦର ଏ.ବି.ସି ଛକରୁ କେସିଙ୍ଗା ବ୍ଲକ ଅଧୀନ କର୍ଲାଖୁଣ୍ଟାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ଅଞ୍ଚଳ ବାସୀ ଡାକ୍ତରଖାନା ଯିବା ସମୟରେ ଯାନବାହନ ଚଳାଚଳରେ ଅସୁବିଧା ଭୋଗୁଛନ୍ତି। ବର୍ଷା ସମୟରେ କାଦୁଅ ପଚ ପଚ କରୁଥିବା ଦେଖି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଯୁବକ ମାନେ ରାସ୍ତା ଉପରେ ଧାନ ଲଗାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାସ୍ତାରେ ଚାଲି ଚାଲି ଯିବାର ମଧ୍ୟ ସମସ୍ୟା ଉପୁଜିଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ବିଧାୟକ ଓ କଳାହାଣ୍ଡି ସାଂସଦଙ୍କୁ ପୂର୍ବରୁ ଅନେକ ଥର ଦାବିପତ୍ର ଦିଆଯାଇ ଥିବା ସରିଆଁ ଗ୍ରାମବାସୀ କହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କିଛି କାମ ଆରମ୍ଭ ହୋଇନାହିଁ । ରାସ୍ତା ହେବ ବୋଲି ନେତା ମାନେ କହୁଥିବା ବେଳେ ଦୀର୍ଘ ବର୍ଷ ହେଲା ପଡିରହିଛି । କେବେ ଏ ଅଞ୍ଚଳର ଲୋକେ ପକ୍କା ରାସ୍ତାରେ ଯିବା ଆସିବା କରିବେ ଏବେ କାହା ପାଖରେ ଉତ୍ତର ନାହିଁ । ବର୍ତ୍ତମାନ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ତରଫରୁ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ କରାଯାଇଛି । ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ସମାଜସେବୀ ଯଶୋବନ୍ତ ରଣା ଓ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version