ଅଙ୍ଗନବାଡି କର୍ମୀ କରୋନା ଯୋଦ୍ଧା ସମ୍ମାନିତ

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ହିଞ୍ଜିଳିକାଟୁ :-  ହିଞ୍ଜିଳିବ୍ଳକ ଚାନ୍ଦୁଲି ପଞ୍ଚାୟତର ଅଙ୍ଗନବାଡି କର୍ମୀ ଗୌରୀ ଦଳାଇ ଗାଡି ଦୁର୍ଘଟଣାର ଶିକାର ହୋଇ ଶାରୀରିକ ଭିନ୍ନକ୍ଷମ ପାଲଟି ଯାଇଥିବା ସତ୍ତ୍ୱେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଠିକ ଢଙ୍ଗରେ ପରିଚାଳିତ କରି ଅନ୍ୟ ମାନଙ୍କ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି।ନିଜର ୨ ଟି ଗୋଡ଼ ହରାଇ ଥିଲେ ମଧ୍ୟ ଦାୟିତ୍ୱ ସମ୍ପାଦନ କ୍ଷେତ୍ରରେ ହାର ନ ମାନି ଜଣେ ଶାରୀରିକ ଭିନ୍ନକ୍ଷମ ଅଙ୍ଗନବାଡି ଭାବେ ପରାକାଷ୍ଠା ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଜୀବନ ସହ ସଂଘର୍ଷ ଓ କର୍ତ୍ତବ୍ୟ ପରାୟଣତା ତାଙ୍କୁ ବେଶ ଉତ୍ସାହିତ କରିଥିଲା ବେଳେ ଆନ୍ତର୍ଜାତିକ ମାନବ ଅଧିକାର କମ୍ୟୁନିଟି ଭାରତ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି।

ଏହି ଉପଲକ୍ଷେ ସହର ଉପକଣ୍ଠ ପ୍ରସିଦ୍ଧ ଶକ୍ତିପୀଠ ମା ଶ୍ୟାମଳାଇ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଟ୍ରଷ୍ଟ ତରଫରୁ ସୁବ୍ରତ ନାୟକ,ମାନସ କୁମାର ଦାସ ଓ ସୌମେନ୍ଦ୍ର ମହାନ୍ତି,ଗଞ୍ଜାମ ଜିଲ୍ଲାର ବୋର୍ଡ ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରାୟ ଓ ଶରତ ରାଉଳ,ହିଞ୍ଜିଳି ସଭାପତି ଚନ୍ଦ୍ରଶେଖର ପୃଷ୍ଟି, ଶେରଗଡ଼ରୁ ମୁରଲୀଧର ପୂଜାରୀ ଓ ପର୍ଶୁରାମ ସାହୁ, ସାନଖେମୁଣ୍ଡିରୁ ବନିତା ପୂଜାରୀ, ପୁରୁଷୋତ୍ତମପୁରରୁ ନିରଞ୍ଜନ ପଣ୍ଡା,ଖଲ୍ଲିକୋଟରୁ ପାଣ୍ଡବ ତରାଇ ପ୍ରମୂଖ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଅଙ୍ଗନବାଡି କର୍ମୀ ଗୌରୀ ଦଳାଇଙ୍କୁ ସଦସ୍ୟ ମାନେ ଉତ୍ସାହିତ କରିଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ସହ ପ୍ରଶଂସାପତ୍ର ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ ।  ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version