ଭାରତୀୟ ହକିର ସଫଳତାରେ ପ୍ରମୁଖ ଅବଦାନ ରଖିଥିବା ଓଡ଼ିଶା ଗୌରବାନ୍ୱିତ

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ଭାରତବର୍ଷ ହେଉଛି ହକି ଖେଳର ଜନକ । ହକି ଖେଳ ମଧ୍ୟ ଭାରତରେ ଜାତୀୟ ଖେଳରୂପେ ପରିଚିତ । ସେହିପରି ହକିର ଏନ୍ତୁଡିଶାଳ ହେଉଛି ଆମ ରାଜ୍ୟ ଓଡ଼ିଶା । ହକି ଖେଳର ଏକ ଗୌରବୋଜ୍ଜ୍ୱଳ ଇତିହାସ ରହିଛି । ହକିର ଯାଦୁକର ରୂପେ ଭାରତବର୍ଷର ଧ୍ୟାନଚାନ୍ଦ ସମଗ୍ର ବିଶ୍ୱରେ ବେଶ୍‌ ଜଣାଶୁଣା ଥିଲେ । ଆଜି ଭାରତୀୟ ହକିଖେଳ ପ୍ରତି ଓଡ଼ିଶା ରାଜ୍ୟର ଅବଦାନ ବେଶ୍‌ ଉଲ୍ଲେଖନୀୟ । ଆମ ରାଜ୍ୟ ଓଡ଼ିଶାର ସୁନ୍ଦରଗଡ଼ ମାଟିରେ ଅନେକ କୃତବିଦ୍ୟ ହକି ଖେଳାଳି ସୃଷ୍ଟି ହୋଇଛନ୍ତି ।

ଯେଉଁମାନଙ୍କର କି ଭାରତୀୟ ହକି ଜଗତ ପ୍ରତି ସଫଳ ଯୋଗଦାନ ରହିଛି । ଓଡ଼ିଶାର ସୁଦକ୍ଷ ହକି ଖେଳାଳିମାନଙ୍କୁ ନେଇ ଭାରତୀୟ ହକି ଶକ୍ତିଶାଳୀ ହୋଇପାରିଛି । ସମ୍ପ୍ରତି ଟୋକିଓଠାରେ ଆୟୋଜିତ ଅଲିମ୍ପିକ୍ସ୍‌ରେ ଭାରତ ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲ୍‌ରେ ହରାଇ କାଂସ୍ୟ ପଦକ ହାସଲ କରିଛି । ଏହା ଭାରତର କୋଣ ଅନୁକୋଣରେ ଥିବା ହକିପ୍ରେମୀ, ହକି ପ୍ରଶିକ୍ଷକ ଏବଂ ଦେଶ ବିଦେଶରେ ଥିବା ଭାରତୀୟମାନଙ୍କୁ ବେଶ୍‌ ଉଲ୍ଲସିତ କରିପାରିଛି । ଏଥିସହିତ ଆଗାମୀ ପିଢିକୁ ଦିଗ୍‌ଦର୍ଶନ ଦେବା ସହ ଅନୁପ୍ରାଣିତ କରିପାରିଛି ।

ଦୀର୍ଘ ୪୧ ବର୍ଷର ବ୍ୟବଧାନରେ ଭାରତୀୟ ହକିଦଳର ଏପରି ଉଲ୍ଲେଖନୀୟ ସଫଳତା ପାଇଁ ଚାରିଆଡୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟୁଛି । ହକି ଖେଳକୁ ଏକ ନୂତନ ରୂପ ଓ ସୁଦୃଢ ଭିତ୍ତିଭୂମି ଯୋଗାଇ ଦେଇଥିବା ତଥା ଓଡ଼ିଶାକୁ ବିଶ୍ୱର କ୍ରୀଡା ରାଜଧାନୀ ରୂପେ ପରିଗଣିତ କରିପାରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳର ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତିି  ଏବଂ କହିଛନ୍ତି । ଆପଣମାନେ ଇତିହାସ ରଚିଛନ୍ତି । ଆପଣଙ୍କ ପାଇଁ ଭାରତ ଗର୍ବିତ । ଓଡ଼ିଶା, ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍‌ର ମୁଖ୍ୟ ପ୍ରାୟୋଜକ ହୋଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଟି ଓଡ଼ିଆ ନିଜକୁ ଧନ୍ୟ ମନେ କରୁଛନ୍ତି ।

ଏହି ବିଜୟ ପ୍ରକ୍ରିୟା ଜାରି ରହୁ, ମୋର ଏତିକି ଭଗବାନଙ୍କଠାରେ ପ୍ରାର୍ଥନା । ବାସ୍ତବିକ ଏପରି କୃତିତ୍ୱ ସମଗ୍ର କ୍ରୀଡା ଜଗତ ନିମନ୍ତେ ସ୍ମରଣୀୟ ହୋଇପାରିଛି । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସମ୍ପାଦକ ଡକଫର ଲେନିନ୍‌ ମହାନ୍ତି ଭାରତୀୟ ହକି ଟିମ୍‌ର ଏହି ସଫଳତା ପାଇଁ ହକି ଟିମ୍‌ର ସଦସ୍ୟ, ପ୍ରଶିକ୍ଷକ, ହକି ଇଣ୍ଡିଆର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Exit mobile version