ବୁଲା ବିକାଳୀ ଓ ଉଠା ବ୍ୟବସାୟୀ କରୋନା ଟୀକା ଗ୍ରହଣ ପାଇଁ ପୌର ପ୍ରଶାସନର ଅଭିନବ ପ୍ରୟାସ

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଭାବେ ଟୀକା ଗ୍ରହଣ ସହିତ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ମହମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଘାତକ ସାଜିଥିବା ବେଳେ ବର୍ତମାନ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଠ ହ୍ରାସ ପାଇଛି । ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସର୍ତକତା ଅବଲମ୍ବନ କରିବା ସକାଶେ ଜନ ସଚେତନତା ଜାରି ରହିଛି । କଟକଣା କୋହଳ ପରେ ଲୋକେ ବର୍ତମାନ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଏକ ପ୍ରକାର ଭୁଲି ଯାଇଥିବା ଭଳି ମନେହେଉଛି । ଏଭଳି ସ୍ଥିତିରେ କରୋନାର ତୃତୀୟ ଲହରର ଆଶଙ୍କା ରହିଥିବା ଜଣାପଡ଼ିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଟୀକା ଗ୍ରହଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।

ଗଂଜାମ ଜିଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନେ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ କରୋନା ଟୀକା ନେଇଥିବା ପ୍ରମାଣପତ୍ର ଟାଙ୍ଗିବା ପାଇଁ ଗଂଜାମ ଜିଲ୍ଲାପା ଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୌରାଂଚଳର ସମସ୍ତ ଉଠା ବ୍ୟବସାୟୀ ଓ ବୁଲା ବେପାରୀ ମାନଙ୍କୁ କରୋନା ଟୀକା ଗ୍ରହଣ କରିବା ସକାଶେ ସ୍ଥାନୀୟ ପୌର ପ୍ରଶାସନ ଅଭିନବ ପ୍ରୟାସ ଆରମ୍ଭ କରିଛି । ସ୍ଥାନୀୟ ପୌରାଂଚଳର ବହୁ ଉଠା ବ୍ୟବସାୟୀ ଓ ବୁଲା ବେପାରୀ (ଟୀକା ଗ୍ରହଣ କରିଥିବା ) ମାନଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଠେଲା ଗାଡ଼ିରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ମୁଁ କରୋନା ଟୀକା ନେଇଛିର ଷ୍ଟିକର ଲଗାଯାଇଛି । ଟୀକା ନେବା ପାଇଁ ସଚେତନ କରାଯିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version