୫୩ତମ ‘ସଂସ୍କୃତି ଚର୍ଚ୍ଚା’ ସମାରୋହ : ‘ରଥଯାତ୍ରାର ସାଂସ୍କୃତିକ ହେତୁ’ ଶୀର୍ଷକ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ଭୁବନେଶ୍ୱର :- ଆମ ସଂସ୍କୃତି ହେଉଛି ସମୂହବାଦର ସଂସ୍କୃତି । ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଯୋଗ ଦେଇଥାନ୍ତି । ଜଗନ୍ନାଥ ମହାପ୍ରଭୁଙ୍କର ରହିଥିବା ଦ୍ୱାଦଶ ମହୋତ୍ସବ ମଧ୍ୟରୁ ଦୁଇଟିରେ ସେ ସ୍ୱୟଂ ଲୀଳା ପ୍ରକଟ କରିଥାନ୍ତି । ଶାସ୍ତ୍ରାଚାର ଓ ଲୋକାଚାର ଉଭୟ ତାଙ୍କୁ ପୁରୁଷୋତ୍ତମ ତତ୍ତ୍ୱରେ ସାବଲୀଳ ସମ୍ମାନ ଦିଅନ୍ତି । ରଥଯାତ୍ରା ଶାସ୍ତ୍ରାଚାର ଓ ଲୋକାଚାର ପରି ଦୁଇଟି ସ୍ତମ୍ଭ ଉପରେ ଦଣ୍ଡାୟମାନ ବୋଲି ବିଶିଷ୍ଟ ଆଲୋଚକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ମତପ୍ରଦାନ କରିଛନ୍ତି । ରାଜ୍ୟ ଅଭିଲେଖାଗାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଅନୁଷ୍ଠିତ ୫୩ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡା. ଷଡ଼ଙ୍ଗୀ ଉପରୋକ୍ତ ମର୍ମରେ ରଥଯାତ୍ରାର ସାଂସ୍କୃତିକ ହେତୁ ଉପରେ ବକ୍ତବ୍ୟ ରଖିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ରଥଯାତ୍ରାର ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରିବା ସହିତ ଆମ ଜନଜୀବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା ଯଥେଷ୍ଟ ମାତ୍ରାରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରଭାବ ବିସ୍ତାର କରିଛି ବୋଲି ପ୍ରକାଶ କରିଥିଲେ । ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଓ ରଥଯାତ୍ରାକୁ ସାର୍ବଜନୀନ ଉତ୍ସବ ଭାବରେ ଅଭିହିତ କରିଥିଲେ ।

ମୁଖ୍ୟ ବକ୍ତା ଡ. ଷଡ଼ଙ୍ଗୀ ଶାସ୍ତ୍ର ଦୃଷ୍ଟିରୁ ଓ ଲୋକସଂସ୍କୃତି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସାଂସ୍କୃତିକ ମହତ୍ତ୍ୱଗୁଡ଼ିକ ଉପରେ ଉଲ୍ଲେଖ କରିବାକୁ ଯାଇ କହିଥିଲେ ଯେ ଜଣେ ରାଜା ଯେପର୍ଯ୍ୟନ୍ତ ସାଧାରଣ ଜନଜୀବନ ଠାରୁ ଦୂରରେ ରହି କେବଳ ରାଜକୀୟ ଐଶ୍ୱର୍ଯ୍ୟରେ ବୁଡ଼ିରହେ ଓ ସାଂସ୍କୃତିକ ଜୀବନର ପ୍ରକୃତ ସ୍ୱାଦ ଅନୁଭବ କରିପାରେ ନାହିଁ, ସେତେବେଳ ପର୍ଯ୍ୟନ୍ତ ସେ ଜନଜୀବନର ସୁଖଦୁଃଖକୁ ସମାହିତ କରିପାରିବ ନାହିଁ କି ଯଥାର୍ଥ ରାଜା ହୋଇପାରିବ ନାହିଁ । ଜୀବନର ଉତ୍‌ଥାନ ଓ ପତନକୁ ସମଦୃଷ୍ଟିରେ ଦେଖିବାକୁ ଅର୍ଥାତ୍‌ ସ୍ଥିତପ୍ରଜ୍ଞ ହେବା ପାଇଁ ରଥଯାତ୍ରାର ସାଂସ୍କୃତିକ ସନ୍ଦେଶ ସମସ୍ତଙ୍କୁ ପ୍ରଚୋଦିତ କରିଛି । ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ୍‌ ଅଲ୍ଲୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version