ଗଜା ମରୁଡ଼ି ଆଶଙ୍କା ଟଳିଲା ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା , ରୂଆ ଆରମ୍ଭ : ଚାଷୀ ଖୁସି

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :-  ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି । ଗତ ୨ଦିନ ଧରି ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ତଳି ପୋଡ଼ି ଯିବାର ଆଶଙ୍କା କରି ଦୁଃଖରେ ଥିବା ଚାଷୀଙ୍କ ମନରେ ହସ ଫୁଟିଛି । ବର୍ଷାଭାବରୁ ପଡ଼ିଆ ପଡ଼ିଥିବା ଜମିରେ ବର୍ତମାନ ସାମାନ୍ୟ ବର୍ଷା ହେବାରୁ ଧାନତଳି ରୂଆ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଜୁନ ମାସରେ ଆବଶ୍ୟକତା ଠାରୁ ୩୦% ବର୍ଷା ଅଧିକ ହୋଇଥିଲା । ତେବେ ଜୁଲାଇ ମାସରେ ଆବଶ୍ୟକତା ଠାରୁ ୧୮% ବର୍ଷା କମ୍ ହୋଇଥିଲା । ଧାରା ଶ୍ରାବଣରେ ବର୍ଷାର ଦେଖା ମିଳିନଥିଲା । ହିଞ୍ଜିଳିକାଟୁ ବ୍ଳକର ୯୬୯୦ ହେକ୍ଟର ଜମିରେ ଧାନଚାଷ କରିବା ସକାଶେ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ୩୧୦ ହେକ୍ଟର ଜମିରେ ଧାନ ବୁଣା ଯାଇଥିବା ବେଳେ ୯୩୮ହେକ୍ଟ ଜମିରେ ତଳି ଓ ୨୦୧ ହେକ୍ଟର ଜମିରେ ଧାନ ରୂଆ ଯାଇଥିଲା ।

ଫଳରେ ସ୍ଥାନୀୟ ବ୍ଳକର ପ୍ରାୟ ୩୦% ଜମିରେ ଧାନ ରୂଆ ଯାଇଥିବା ବେଳେ ପ୍ରାୟ ୭୦% ଜମି ଧାନତଳି ରୂଆ ବାଧାପ୍ରାପ୍ତ ହେବା ସହ ପଡ଼ିଆ ପଡ଼ିଥିଲା । ଅନ୍ୟପକ୍ଷରେ ରୂଆ ସରିଥିବା ଜମିରେ ପାଣି ନଥିବାରୁ ତଳି ପୋଡ଼ିଯିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଥିଲା । ଶ୍ରାବଣ ମାସରେ ଜମି ଫାଟି ରହିଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳର ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା । ଗତ ୪ ଦିନ ପୂର୍ବେ ୨ ଦିନ ଧରି ସାମାନ୍ୟ ବର୍ଷା ହେବା ଫଳରେ ସ୍ଥାନୀୟ ଅଂଚଳର ଚାଷୀ ମାନେ ଜମିରେ ଧାନ ତଳି ରୂଆ କାମ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ଲଘୁଚାପ ବର୍ଷା ଆସନ୍ତା ୨୮ ତାରିଖରେ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେଣୁ ବଳକା ରହିଥିବା ଜମିରେ ଧାନତଳି ରୂଆ ହୋଇପାରିବ ବୋଲି ଚାଷୀ ମାନେ ଆଶା କରି କାମ ଆରମ୍ଭ କରିଛନ୍ତି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version