ସାମ୍ବାଦିକ ଆକ୍ରମଣ ଘଟଣାକୁ ଜିଲ୍ଲା ସାମ୍ବାଦିକ ସଂଘର ତୀବ୍ର ନିନ୍ଦା, ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର) ଢେଙ୍କାନାଳ :- ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ କର୍ତ୍ତବ୍ୟରତ ୱେବ ସାମ୍ବାଦିକ ଭୀମସେନ ସେଠୀଙ୍କ ଉପରେ ସେଠାକାର ଜଣେ ମହିଳା କନେଷ୍ଟବଳଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଙ୍ଘ | ଘଟଣାକୁ ଏଯାବତ ୬ଦିନ ବିତିଯାଇଥିଲେ ହେଁ ସମ୍ପୃକ୍ତ ମହିଳା କନେଷ୍ଟବଳ ପିନୁ ନାୟକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଏହାକୁ ତୀବ୍ର ନିନ୍ଦା କରି ଆଜି ଅପରାହ୍ନରେ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶଙ୍କୁ ପ୍ରଦାନ କରାଯାଇଛି |

ଦାବି ଅନୁସାରେ ସାମ୍ବାଦିକ ଭୀମସେନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହ ମହିଳା କନେଷ୍ଟବଳଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ | ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସାଧାରଣ ସମ୍ପାଦକ ସତ୍ୟ ସ୍ୱରୂପ ଦାସ, କାର୍ଯ୍ୟକାରୀ ସଭାପତି ରତନ ନାୟର, ଗଙ୍ଗାଧର ରାଉତ, ଅମନ ଆୟୁଷ୍ମାନ ଦାସ, ଦୁଷ୍ମନ୍ତ ବରାଳ, ଅମଜାଦ ଖାନ, ଅଥୟ ସାହୁ, ଅରବିନ୍ଦ ସାହୁ, ସନ୍ତୋଷ ଶତପଥୀ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

ସୂଚନା ଥାଉକି, ଗତ ଜୁଲାଇ ୨୧ରେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ୱେବ ସାମ୍ବାଦିକ ଭୀମସେନ ସେଠୀଙ୍କୁ ମହିଳା କନେଷ୍ଟବଳ ପିନୁ ନାୟକ ସର୍ବ ସମ୍ମୁଖରେ ମାଡ଼ ମାରିଥିଲେ | ଖବର ସାମ୍ନାକୁ ଆସିବା ପରେ ସାରା ଓଡିଶାର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ଘଟଣାକୁ ନିନ୍ଦା କରିଥିଲେ |(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version