ହିଞ୍ଜିଳିରେ ବିଭିନ୍ନ ହାଇସ୍କୁଲରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :-   କରୋନା ମହାମାରୀ ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ଦୀର୍ଘ ଦେଢ଼ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଗ୍ରୀନ ଜୋନରେ ଥିବା ଜିଲ୍ଲା ତଥା ଅଞ୍ଚଳରେ ପ୍ରାଥମିକ ଭାବେ ୧୦ମ ଶ୍ରେଣୀ ରେ ଅଫ ଲାଇନରେ ପାଠ ପଢା ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ହିଞ୍ଜିଳି ବ୍ଲକରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ସଫା ସୁତୁରା ଓ ସାନିଟାଇଜ଼ କରି ପୂର୍ବ ପ୍ରସ୍ତୁତି ସରିଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୁଦ୍ଧ କାଳୀନ ଭିତ୍ତିରେ ହିଞ୍ଜିଳି ବ୍ଲକର ବିଭିନ୍ନ ବିଦ୍ୟାଳୟ କୁ ତୋଫାନୀ ଗସ୍ତ କରି ସ୍ଥିତି ପରଖି ଥିଲେ । ବିଦ୍ୟାଳୟ ଖୋଲିବାର ଆଜି ପ୍ରଥମ ଦିବସରେ ବିଭିନ୍ନ ବିଦ୍ୟାଳୟକୁ ସୁସଜ୍ଜିତ କରାଯାଇଥିଲା । ଫୁଲ ତୋରଣ, ବ୍ୟାନର, ରଙ୍ଗ ବେରଙ୍ଗର ବେଲୁନ ଝୁଲାଇ ବିଦ୍ୟାଳୟ ପ୍ରବେଶ ପଥକୁ ରଙ୍ଗାରଙ୍ଗ ପରିବେଶରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା । ସାନିଟାଇଜ଼ରରେ ହାତ ସଫା କରିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ ବ୍ଲକର ଆଲପୁର ହାଇସ୍କୂଲରେ ପ୍ରବେଶ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ନନ୍ଦିକ କ୍ଲଷ୍ଟର ସିଆରସିସି ଜାଦଵ ସାହୁ ପର୍ଯ୍ୟାୟ କ୍ରମେ ନନ୍ଦିକ, ବାଳକୃଷ୍ଣପୁର ଓ ଆଲପୁର ହାଇସ୍କୂଲରେ ପହଞ୍ଚି ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକୁ ତଦାରଖ କରିଥିଲେ। ଦୀର୍ଘ ପ୍ରତୀକ୍ଷାର ଅନ୍ତ ପରେ ବିଦ୍ୟାଳୟ ଖୋଳୁଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କ୍ଲଷ୍ଟର ସିଆରସିସି ସେମାନଙ୍କ ସୀମାରେ ତଦାରଖ କରିଥିଲେ । ଏବିଇଓ ସୁଶୀଲ କୁମାର ପାତ୍ର କଞ୍ଚୁରୁ କ୍ଲଷ୍ଟର ଅନ୍ତର୍ଗତ କଞ୍ଚୁରୁ, ଦୁର୍ବନ୍ଧ, ଦୟାପଲ୍ଲୀ, ସପୁଆପଲ୍ଲୀ ହାଇସ୍କୂଲ ଆଦି ବିଦ୍ୟାଳୟ ରେ ପହଞ୍ଚି ତଦାରଖ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟତମ ଏବିଇଓ ବାଳକୃଷ୍ଣ ପାତ୍ର ବୁରୁପଡା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ରେ ତଦାରଖ କରିଥିଲେ। ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧାରୀ ସ୍ଥାନୀୟ ମୁନିସିପାଲିଟି ର ବିଭିନ୍ନ ବିଦ୍ୟାଳୟ ରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version