ଅବ୍ୟବସ୍ଥା ଘେରରେ ଗ୍ରାମ୍ୟ ଉନ୍ନୟନ ବିଭାଗ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ହିଞ୍ଜିଳିକାଟୁ :-  ଅଧୁନା ହିଞ୍ଜିଳି କାଟୁ ସହରକୁ ବିକାଶର ପ୍ରୟୋଗ ଶାଳା ବୋଲି ବିବେଚନା କରାଯାଏ।ପୂର୍ବରୁ ଏହା ବିଜ୍ଞାପିତ ଅଞ୍ଚଳ ଭାବେ ପରିଚିତ ଥିଲା ବେଳେ ଏବେ ଏହା ପୋୖରାଞ୍ଚଳର ମାନ୍ୟତା ପ୍ରାପ୍ତ ହୋଇଛି।ପୁଣି ଗଞ୍ଜାମ ଜିଲ୍ଲାର ଏହା ଏକ ମାତ୍ର ସର୍ବବୃହତ ଜନ ସଂଖ୍ୟା ବିଶିଷ୍ଟ ପୌର ପରିଷଦ ଭାବେ ଯୋଗ୍ୟ ବିବେଚିତ ହୋଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏଠାରୁ କ୍ରମାଗତ ଭାବେ ପ୍ରତିନିଧିତ୍ଵ କରୁଥିବା ବେଳେ ସହରର ମର୍ଯ୍ୟାଦା ଓ ସମ୍ମାନ କ୍ରମଶଃ ବୃଦ୍ଧି ପାଇ ଏକ ସ୍ୱତନ୍ତ୍ରତା ସୃଷ୍ଟି କରିଛି।ଶାସନ କଳକୁ ସୁନିୟନ୍ତ୍ରିତ ଓ ବ୍ୟବସ୍ଥିତ କରିବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରୁଥିବା ବେଳେ ଏଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିଭିନ୍ନ ପ୍ରଶାସନିକ ଦପ୍ତର ମଧ୍ୟ ସ୍ଥାପିତ ହୋଇଛି।ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ପ୍ରଶାସନିକ ସହଯୋଗ ଜାରି ରଖିଛନ୍ତି।ସହରରେ ପୌର,ତହସିଲ,ବ୍ଳକ,ଥାନା,କୃଷି, ଉପଖଣ୍ଡ ଚିକିତ୍ସାଳୟ,ଉପ ନିବନ୍ଧକ,ଅଗ୍ନିଶମ,ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ,ଡାକ ବିଭାଗ,ଜନ ସ୍ଵାସ୍ଥ୍ୟ ବିଭାଗ,ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ,ନିୟନ୍ତ୍ରିତ କାର୍ଯ୍ୟାଳୟ ଓ ବିଦ୍ୟୁତ ବିଭାଗ ସହ ନ୍ୟାୟିକ କାର୍ଯ୍ୟାଳୟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସ୍ଥାପିତ ହୋଇଛି।

କେବଳ ଅବକାରୀ ବିଭାଗ ଓ ଉଦ୍ୟାନ କୃଷି ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅନୁଷ୍ଠାନ ଗୁଡିକ ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।କିନ୍ତୁ ସ୍ଥାନୀୟ ସହରରେ ଏଭଳି ଏକ ଉନ୍ନୟନ ବିଭାଗ ରହିଛି ଯାହାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ରହିଥିବା ଜଣାପଡିଛି।ବିଭିନ୍ନ ସରକାରୀ ଦପ୍ତରର ମୁଖ୍ୟ ପ୍ରଶାସନିକ ଅଧିକାରୀ ନିଜ ନିଜ ସରକାରୀ କାର୍ଯ୍ୟାଳୟର ପର୍ଯ୍ୟାପ୍ତ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଅସୁବିଧା ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି।କିନ୍ତୁ ହିଞ୍ଜିଳିକାଟୁରେ ଅବସ୍ଥାପିତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ବିଭିନ୍ନ ବ୍ୟବସ୍ଥାରେ ଘୋର ବ୍ୟତିକ୍ରମ ଦେଖାଦେଇଛି।ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସଚେତନ ଓ ସତର୍କତା ପୂର୍ବକ ସରକାରୀ କାର୍ଯ୍ୟାଳୟ ଗୁଡିକ ସୁରକ୍ଷିତ ପ୍ରାଚୀର ନିର୍ମାଣକୁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଏଠାରେ ଅବସ୍ଥାପିତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଉପ ବିଭାଜନ ଓ ଅନୁବିଭାଗ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଅବହେଳିତ ହୋଇ ଖୋଲା ମେଲାରେ ଗତି କରୁଛି। ସାଧାରଣ ଲୋକଙ୍କ ଦୃଷ୍ଟି ଗୋଚରରୁ ଦୂରରେ ଥିବା ବିଭାଗର ଏହି ୨ ଟି ପ୍ରଶାସନିକ କାର୍ଯ୍ୟାଳୟରେ ସୁରକ୍ଷା ପ୍ରାଚୀର ଅଭାବରୁ ବେଶ ଅସୁରକ୍ଷିତ ଥିବା ସମ୍ପୃକ୍ତ ବିଭାଗ ପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ କେତେ ଯତ୍ନବାନ ତାହା ସ୍ପଷ୍ଟ ବାରି ହୋଇ ପଡୁଛି ।ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା,ଗୋଟିଏ ହତା ମଧ୍ୟରେ ୨ ଟି ପ୍ରଶାସନିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ଓ ଦରକାରୀ ଆସବାବପତ୍ର ମହଜୁଦ ରହିଛି।

ଗ୍ରାମାଞ୍ଚଳ ଗୁଡିକର ଆବଶ୍ୟକତା ଅନୁସାରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଉନ୍ନୟନ ପ୍ରକଳ୍ପ ଗୁଡିକର ନିର୍ମାଣ,ପୁନରୁଦ୍ଧାର କାର୍ଯ୍ୟ ସକାଶେ କୋଟି କୋଟି ଟଙ୍କାର ଅନୁଦାନ ରାଶି ବ୍ୟୟ ବରାଦ ହୋଇ ଉନ୍ନୟନ ପ୍ରକଳ୍ପ ପ୍ରତି ଧ୍ୟାନ ଦେଉଥିଲା ବେଳେ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଏତେ ଅବହେଳା କାହିଁକି ବୋଲି ଜାଣିବା ଶୁଣିବା ମହଲରେ ପ୍ରଶ୍ନ ଉଠିଛି।ସ୍ଥାନୀୟ ସହରରେ ଥିବା ବିଭିନ୍ନ ସରକାରୀ ଦପ୍ତର ଗୁଡିକର ସାଜସଜ୍ଜା ଅତି ଆକର୍ଷଣୀୟ ଓ ମନଲୋଭା ପରିବେଶ ସୃଷ୍ଟି କରିଥିଲା ବେଳେ ସ୍ଥାନୀୟ ଉପ ବିଭାଜନ ଓ ଅନୁବିଭାଗ କାର୍ଯ୍ୟାଳୟରେ ଏସବୁର ଅଭାବ ପରିଲକ୍ଷିତ ହେବା ସହ ଏକ ଅସ୍ବଚ୍ଛ ଓ ଅପ୍ରୀତିକର ପରିବେଶ ବିଭାଗର ଦହନୀୟ ଅବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି।ପୂର୍ବରୁ ସମ୍ପୃକ୍ତ ୨ ବିଭାଗର ହତା ପରିସରରେ ପରିସ୍ରା ଓ ମଳ ତ୍ୟାଗ କରିବା ଭଳି ଘଟଣା ଘଟିଥିବା ନଜିର ଅଛି।ସମାୟାନୁକ୍ରମେ ବିଭାଗ ପରିସରରେ ଚୋରି,ଲୁଟତରାଜ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇ କୌଣସି ସମ୍ବେଦନଶୀଳ ଘଟଣାର ସୂତ୍ରପାତ ଘଟି ସ୍ଥାନୀୟ ପ୍ରଶାସନ ଉପରେ ଆଙ୍ଗୁଳି ଉଠେ ତେବେ ଏଥିପାଇଁ କେଉଁ ଅଧିକାରୀ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗର ସ୍ଥାନୀୟ ଉପବିଭାଜନ ଓ ଅନୁବିଭାଗ କାର୍ଯ୍ୟାଳୟପରିସରର ଏଭଳି ଅବ୍ୟବସ୍ଥା ଓ ଅବହେଳା ପ୍ରତି ବିହୀତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଚେତନ ନାଗରିକ ଉଦବେଗ ପ୍ରକାଶ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବିଭାଗର ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Exit mobile version