ଫସଲ ବୀମା ରେ ଜାଲିଆତି ଅଭିଯୋଗ ନେଇ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାରପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ସାରା ଭାରତରେ ପରିଚିତ, ଅଞ୍ଚଳବାସୀ ମୁଖ୍ୟତଃ ଚାଷ ସମୟରେ ବର୍ଷାପାଣି କୁ ହିଁ ନିର୍ଭର କରିଥାନ୍ତି । ଜଳସେଚନ ର କୌଣସି ସୁବିଧା ନାହିଁ ଏବଂ ପ୍ରତ୍ୟେକ ବର୍ଷ ଏଠାରେ ସ୍ବଳ୍ପ ବର୍ଷା କାରଣରୁ ମରୁଡ଼ି ଦେଖା ଦେଇଥାଏ । ମରୁଡ଼ି ଯୋଗୁଁ ଅଞ୍ଚଳର ଚାଷୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୁଅନ୍ତି। ଅଞ୍ଚଳର ଚାଷୀ ଫସଲ ବୀମା ପାଇଲେ ତାଙ୍କର କ୍ଷୟକ୍ଷତି କିଛି ମାତ୍ରାରେ ଭରଣ ହୋଇଥାଏ ।

କିନ୍ତୁ ଆଜି କାଲି ଅନଲାଇନ୍ ଫସଲ ବୀମା ରେ ବ୍ୟାପକ ମାତ୍ରାରେ ଜାଲିଆତି ହେଉଥିବାର ଅଭିଯୋଗ ଅଞ୍ଚଳର ଚାଷୀ ମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇପଡ଼ିଛି । ଜଣଙ୍କର ଜମିରେ ଅନ୍ୟଜଣେ ବୀମା କରେଇ ପରେ ମିଳୁଥିବା ରାଶି ସବୁ ହଡ଼ପ କରି ନେଉଥିବାର ଅଭିଯୋଗ ଆସୁଛି, ଏପରି ଠକାମୀ ର ଶିକାର ହେଇ ଥିବା କିଛି ଚାଷି ମାନଙ୍କ ସହ ବିଜେପିର ଏକ ପ୍ରତନିଧି ଦଳ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଛି ।

ଉପଜିଲ୍ଲାପାଳ ମହୋଦୟ ମଧ୍ୟ ତାଙ୍କ ପାଖକୁ ଏପରି ଅଭିଯୋଗ ଆସିଥିବା କହିଥିଲେ,ଏ ସବୁ ଜାଲିଆତି ପାଇଁ ଏକ ରେକେଟ୍ କାମ କରୁଥିବାର ଅଭିଯୋଗ ଆଣିଛି ବିଜେପି ଏବଂ କେଉଁମାନେ ଏସବୁ କାମ କରୁଛନ୍ତି ତାହା ସ୍ଥାନୀୟ ଅଞ୍ଚଳରେ ଜାଣିବାର କୌଣସି ସୁବିଧା ନଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି । ଉପ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର ମହୋଦୟ ମଧ୍ୟ ସଂପୃକ୍ତ ବିଭାଗ ର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେପିର ପ୍ରତିନିଧି ଦଳରେ ରାଜବୋଡ଼ାସମ୍ବର ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କୁମର ମଣି ନାଏକ, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ନଗର ସାଧାରଣ ସମ୍ପାଦକ ଆଇନଜୀବୀ ହରିଶଙ୍କର ସିଂହ, ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ନଗର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା, ବରିଷ୍ଠ ନେତା ସୁବାଷ ପାତ୍ର, ଲକ୍ଷ୍ମଣ ସାହୁ ପ୍ରମୁଖ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version