Home ଓଡ଼ିଶା ବାଡୁଅ ରଖିଲା ସ୍ମାର୍ଟ ସହର – ଭୂବନେଶ୍ୱର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଗୁରୁବାର) ଭୂବନେଶ୍ୱର :- ପିଲା ଦିନେ ଖତୁଆ ଗୋଟିଏ ଗୀତ ଶୁଣିଥିଲା ” ସଙ୍ଗାତରେ ଖୋଜି ଦେଏରେ ମୋ ପାଇଁ ଶ୍ବଶୁର ଘର , ଶ୍ବଶୁର ଘର ହେବ ଭୂବନେଶ୍ୱର ” । ଏହି ଗୀତଟିକୁ ଶୁଣି ମନେ ମନେ ସ୍ଥିର କରିଥିଲା ବାହା ହେବ ତ ଭୂବନେଶ୍ୱରରେ। କାରଣ ଗାଁରେ ଜନ୍ମ ହୋଇ ସେ ଅଣନିଶ୍ବାସି ହୋଇପଡ଼ିଥିଲା । ଗାଁରେ ନାଁ ଅଛି ଚକ୍କାଚକ୍ ରାସ୍ତା ନାଁ ଅଛି ଯାତାୟତର ସୁବିଧା ସୁଯୋଗ । ସେଠି ସବୁ ସୁବିଧା ସୁଯୋଗ ହାତ ପାହାନ୍ତାରେ । ଯେତେବେଳେ ଶୁଣିଲା ଭୂବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଲା , କିଏ ଖୁସି ହେଉ ନହେଉ ଖତୁଆର ଖୁସିର ସୀମା ବହୁତ ବଢିଯାଇଥିଲା । ଖୁସି ହେବିନି କେମିତି କହିଲେ? ବାହା ହୋଇ ସାରିଲାପରେ ଗାଁ ଲୋକଙ୍କୁ ବୁଲି ବୁଲି କହିବ ମୋ ଶ୍ବଶୁର ଘର ଭୂବନେଶ୍ୱର, ସେ ପୁଣି ସ୍ମାର୍ଟ ସହର , ଇଏ କଣ ଗର୍ବର କଥା ନୁହେଁ । ଏହି ବର୍ଷ ଖତୁଆ ବିବାହ ଯୋଗ୍ୟତା ହାସଲ କରିଲା ବୋଲି ତାଙ୍କ ଘର ଲୋକମାନେ ଯେତେବେଳେ ତା’ ପାଇଁ କନ୍ଯା ଖୋଜାଖୋଜି ଆରମ୍ଭ କରିଥିଲେ ଖତୁଆ ରୋକଠୋକ୍ ଜଣାଇଦେଲା , ବାହାହେବ ତ ଭୂବନେଶ୍ୱରରେ । ଆଉ ଯଦି ଭୂବନେଶ୍ୱରରେ ଝିଅ ନମିଳେ , ସେ ବାବାଜୀ ହେବ ପଛେ ବାହା ହେବନି । ହେଲେ ଯେଉଁ ଝିଅ ଭୂବନେଶ୍ୱରରେ ବଢ଼ିଚି ସିଏ କାହିଁକି ବା ମଫସଲରେ ବାହାହେବାକୁ ଚିନ୍ତା କରିବ । ସେ ଯାହା ହେଉ ବହୁତ ଖୋଜାଖୋଜି ପରେ ତାଙ୍କଘର ଲୋକେ ଭୂବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ କନ୍ୟାପାତ୍ର ଠିକ କଲେ । ଆପଣ ଆଗରୁ ଜାଣିଛନ୍ତି , ଯେଉଁ ଝିଅ ଭୁବନେଶ୍ବରରେ ବଢ଼ିଚି ସିଏ କାହିଁକି ବା ମଫସଲରେ ବାହା ହେବ ? ହେଲେ ଏଠି ଝିଅର ବାପା ଓ ମା’ ନାଚାର ଥିଲେ । କାରଣ ଝିଅ ପାଇଁ ବର ଖୋଜି ଖୋଜି ଝିଅ ବୁଢ଼ୀ ହୋଇଯାଥିଲା , ଯିଏ ଥରେ ଦେଖୁଥିଲା , ବାହା ହେବାକୁ ରୋକଠୋକ୍ ମନାକରିଦେଉଥିଲା । ହେଲେ ଖତୁଆର ତ ଭୂବନେଶ୍ୱରରେ ବାହା ହେବାର ନିଶା , ତେଣୁ କାଳି, ଦାନ୍ତୁରୀ, ବୁଢ଼ୀ ଏସବୁ ତା ପାଖରେ ବାଛିବାର କଥା ନଥିଲା । ସେ ଯାହାବି ହେଉ ଭୁବନେଶ୍ବରରେ ବାହା ହେବାଟା ତାର ଫାଇନାଲ ହୋଇଗଲା । କନ୍ଯା ଠିକ୍, ବର ବି ଠିକ୍ ହେଲେ ବିବାହ ତିଥି ଠିକ୍ ହୋଇପାରୁନି । ହେଲେ ଖତୁଆ ଭୂବନେଶ୍ୱରରେ ବାହା ହେବିବୋଲି ହାକୁଟି ଖାଇ ଅସମ୍ଭାଳିଆ ସ୍ଥିତି ସୃଷ୍ଟି କରିବାରୁ , ଘର ଲୋକେ ବାଧ୍ୟ ହୋଇ ସର୍ବମଙ୍ଗଳା ଜଗନ୍ନାଥ ନ୍ଯୟରେ ଶ୍ରୀଗୁଣ୍ଡିଚା ଦିନ ସ୍ଥିର କଲେ । ସାଙ୍ଗମାନେ କହିଲେ ଗୁଣ୍ଡିଚାରେ ଆଇଁସ ଖାଇ ହେବନି , ବନ୍ଧୁବାନ୍ଧିବ କହିଲେ ଲଘୁଚାପ ହୋଇଛି ବର୍ଷା ହେବ ତାରିଖ ଘୁଞ୍ଚା , ହେଲେ ଖତୁଆ କହିଲା ତମେ ଘୁଞ୍ଚି ଯାଆ କିନ୍ତୁ ତାରିଖ ଘୁଞ୍ଚିବନି , ଯଦି ବାହାଘର ଘୁଞ୍ଚୁଘୁଞ୍ଚୁ ପ୍ରସ୍ତାବ ଘୁଞ୍ଚି ଗଲା , ମୋର ଆଶା ଆଶାରେ ହିଁ ରହିଯିବ। ତେଣୁ ଯିଏ ବାହାଘର ଘୁଞ୍ଚେଇବା କଥା କହିଲା ଖତୁଆ ତାକୁ ସତୃ ବୋଲି ମନେକରୁଥିଲା । କାରଣ ତାର ନିଶା “ସ୍ମାର୍ଟ ସିଟି” ରେ ବାହା ହେବ ତେଣୁ ଭୁବନେଶ୍ବର ପାଖରେ ସାଙ୍ଗସାଥି ବନ୍ଧୁ ବାନ୍ଧବ ସବୁ ତୁଛ ଲାଗୁଥିଲା । ଯା ହେଉ ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଲା ଆଜି ଖତୁଆର ବାହାଘର । ଖତୁଆ ବରହୋଇ ଯିବି ଭୂବନେଶ୍ୱର, ସ୍ମାର୍ଟ ସିଟି ହେବ ଶ୍ବଶୁର ଘର । ଆଜି ତାର ସ୍ବପ୍ନ ପୁରଣ ହେବ , ସେଥିପାଇଁ ତା ଖୁସି କହିଲେ ନସରେ । ଗାଁ ଫୁପନର ଫୁପନର ନୂଆରଙ୍ଗ ଦିଆହୋଇଥିବା ପୁରୁଣା ଆମ୍ବାସଡର କାରଟିକୁ ମାଳିସାହିର ଗୌରା ଫୁଲରେ ନୂଆ ବୋହୂଟି ପରି ସଜେଇ ଯେତେବେଳେ ଗାଁ ଦାଣ୍ଡରକୁ ଆସିଗଲା ଏବଂ ମଣୀଶିବ ବସ୍ ରାସ୍ତା କଡ଼ରେ ଲାଗିଗଲା ଖତୁଆକୁ ଆଉକିଏ ସମ୍ଭଳେ? ସାଙ୍ଗମାନଙ୍କୁ ଡକାହକା କରି ବସରେ ବସିବାକୁ କହି ସେ ଫୁଲରେ ସଜେଇ ହୋଇଥିବା ଗାଡ଼ିରେ ବସିଗଲା । ଗାଁ ଟୋକା ମାନେ ଭୁବନେଶ୍ୱର ବରଯାତ୍ରୀ ହୋଇ ଯାଉଥିବାରୁ କିଏ କାହାର ଯୋତା ମାଗିଆଣିଚି ତ କିଏ କାହାଠୁଁ ମାଗି ସାର୍ଟ ପ୍ଯାଣ୍ଟ ପିନ୍ଧି ବସରେ ବସିଗଲେ । ଆଉ ନାଚିବେ ବୋଲି ଆଗରୁ ପ୍ରାକ୍ଟିସ କରିଥିବା ଟୋକାମାନେ ସ୍ବତନ୍ତ୍ର ଭାବେ ଆସିଥିବା ସମ୍ଭୁଆ ଅଟୋରେ ବସି ଆରମ୍ଭ କଲେ ସ୍ମାର୍ଟ ସିଟି ଭୁବନେଶ୍ବର ଯାତ୍ରା । ଗାଁ ଟୋକା ମାନଙ୍କ ମନରେ ଉତ୍କଣ୍ଠା ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତାରେ ନାଗିନି ନାଚ ନାଚି ଜୀବନ ଧନ୍ଯ କରିବେ । ବୁଢ଼ା ମାନେ ଉତ୍କଣ୍ଠିତ ରାଜଧାନୀର ସୁନ୍ଦର ଦୃଶ୍ୟ ଦେଖିବେ । ସୁଟ ବୁଟ ପିନ୍ଧି ସେଣ୍ଟ ବୋତଲକୁ ମଝିରେ ମଝିରେ ଦେହରେ ଢାଳି ଭୋଳା ବାରିକ ଖତୁଆକୁ କହୁଥିଲା ବୁଝିଲ ସାଆନ୍ତେ ତେମେ ଆପଣେଙ୍କ ବାହାଘର ଆମ ଗାଁର ପ୍ରଥମ ସ୍ମାର୍ଟ ବାହାଘର । ସେଇଥିପାଇଁ ମୁଁ ପରା ଆଜି ସ୍ମାର୍ଟ ବାରିକ ସାଜି ଆସିଛି । ଏକଥା ଶୁଣି ଖତୁଆ ଖାଲି ଖୁସିରେ କୁରୁଳି ଉଠୁଥାଏ । ଖତୁଆ ଆକ୍ଷିରେ ଖାଲି ଭାସୁଥାଏ ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା । ଏହିପରି ସ୍ବପ୍ନ ଦେଖି କେତେ ବେଳେ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି ତାକୁ ସମୟ ଜଣା ପଡ଼ିଲା ନାହିଁ । ଯେତେବେଳେ ଡ୍ରାଇଭର କହିଲା ଏଇ ଇସ୍କନ ମନ୍ଦିର ପାଖରୁ ପ୍ରୋସେସନ ଆରମ୍ଭ ହେବ , ଖତୁଆ ଖୁସିରେ କୁରୁଳିବାକୁ ଲାଗିଲି। ଆଗରେ ବର ଗାଡ଼ି ତା’ ପଛରେ ଆଉ ସବାପଛରେ ରସିକିଆ ଅଟୋ । ଗାଡ଼ି ଅଟକିବା ସମୟରେ ଆରମ୍ଭ ହୋଇଗଲା ମୂଷଳ ଧାରାରେ ବର୍ଷା । ଭୁବନେଶ୍ବରର ବର୍ଷା ଦେଖି ଗାଁର ରତନା କହିଲା ” ଆବେ ଭୁବନେଶ୍ବରର ବର୍ଷା ଆମକୁ ଚେଲେଞ୍ଜ ଦଉଚିବେ ” ଗାଁ ଦାଣ୍ଡର ଚିକିଟା କାଦୁଅରେ ଯିଏ ନାଚିଚି ତାକୁ ଏ ସ୍ମାର୍ଟ ବର୍ଷର ଚେଲେଞ୍ଜ — ଧେତ୍ । କେହି କିଛି ଭାବିବା ଆଗରୁ ଇସ୍କନ ମନ୍ଦିର ସାମ୍ନା ରାଜରାସ୍ତା ବର୍ଷା ପାଣିରେ ପରିଣତ ହୋଇଥିଲା ମହନଦୀ ଆଉ ଚାହୁଁ ଚାହୁଁ ଭାଷିଚାଲିଲା ସମ୍ଭୁଆ ଅଟୋ , ଅଟୋ ପଛେ ପଛେ ଭାସିଯାଉଥିଲା ବର ବସିଥିବା କାର୍ । ଆଉ ବସ୍ ଭିତରେ ପାଣି ପସି ବସ୍ କୁ ଓଲଟେଇ ଦେଲା । ଏବେ ବର ଓ ବରଯାତ୍ରୀ ସ୍ମାର୍ଟ ସିଟିର ସ୍ମାର୍ଟ ବର୍ଷାର ସ୍ମାର୍ଟ ପାଣିରେ ଭାସିବାକୁ ଆରମ୍ଭ କଲେ । ସମସ୍ତେ ଗାଁ ଛୁଆ ପହଁରିବା ଜାଣିଥିଲେ ବି ଏ ସ୍ମାର୍ଟ ପାଣିର ସ୍ରୋତ ସେ ସୁଯୋଗ ଦେଲାନାହିଁ । ସମସ୍ତେ ଭାସୁଥାନ୍ତି ଅକାତ କାତ ପାଣିରେ । ଏହିପରି ଭାସିଭାସିବା ଭିତରେ ସମସ୍ତେ ପ୍ରାୟ ଚେତ୍ତାଶୂନ୍ଯ ହୋଇସାରିଥିଲେ । ଏଖବର ପ୍ରଚାରିତ ହେବାପରେ ଉଦ୍ଧାରକାରୀ ଦଳ ଆସି ଖୋଜାଖୋଜି ଆରମ୍ଭ କରି ପ୍ରଥମେ ପାଇଲେ ମାଧୁରୀ ସାହୁଙ୍କ ଲାଟିନ ଘରୁ ଭୋଳା ବାରିକକୁ । ତା’ ଦେହରେ ନା’ଥିଲା ସୁଟ ନା’ ବୁଟ୍ କିନ୍ତୁ ତା ହାତରେ ମୁଠେଇ ଧରିଥିଲା ସେଣ୍ଟ ବୋତଲ । ଅଟୋରେ ଆସିଥିବା ଟୋକା ମାନଙ୍କୁ ଠାବ କଲେ ଗୋଟିଏ ଟିଭି ଷ୍ଟୁଡ଼ିଓ ହତାଭିତରୁ । ଏ ମାନଙ୍କ ଚେତା ଫେରିବା ପରେ ସମସ୍ତେ କାନ୍ଦିବାକୁ ଲାଗିଲେ । କାନ୍ଦିବେନି ? ଏକରେ ତ ଭୁବନେଶ୍ବରରେ ନାଚି ପାରିଲେନି , ଦ୍ବିତୀୟରେ ମାଗିଜାଚି ଆଣିଥିବା ପ୍ଯାଣ୍ଟ, ସାର୍ଟ, ଯୋତା , ମୋଜା ଇତ୍ୟାଦି ସବୁ ଭାସିଯାଇଛି । ତାକୁ ଫେରାଇବେ କିପରି ? କି ଛାତି ଫଟା କାନ୍ଦ । ସେଇ କାନ୍ଦରେ କାନ୍ଦରେ କହୁଥିଲେ ତତେ କୋଟି ଜୁହାର, ହେ ସ୍ମାର୍ଟ ସହର। ବସରେ ଥିବା ଲୋକମାନଙ୍କୁ ଗୋଟି ଗୋଟିକରି ଉଦ୍ଧାର କରାଗଲା , କାହାକୁ ନଳା ଭିତରୁ , କହାକୁ ରୋଷେଇ ଘରୁ ପୁଣି କାହାକୁ ଆଳିଆ ଗଦାରୁ ବାହାର କରି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତିକରାଗଲା । ସୁସ୍ଥ ହେଲା ପରେ ସମସ୍ତେ ବଞ୍ଚିଥିବା ଜାଣି କୁଣ୍ଢାକୁଣ୍ଢି ହୋଇ କାନ୍ଦିବାକୁ ଲାଗିଲେ । ସମସ୍ତେ ତ ଅଛନ୍ତି ହେଲେ ବର ମାନେ ଖତୁଆ କାହିଁ ? ବହୁତ ଖୋଜାଖୋଜି ପରେ ଉଦ୍ଧାରକାରୀ ଦଳ ବରକୁ ନୟାପଲ୍ଲୀ ବେହେରା ସାହିର ଗୋଟେ ଗାଈ ଗୁହାଳରୁ ପଙ୍କ ଗୋବରରେ ସାଲୁବାଲୁ ଅବସ୍ଥାରେ ଉଦ୍ଧାର କଲେ । ଏବେ ସମସ୍ତେ ଡାକ୍ତର ଖାନାରେ । ଖତୁଆ ସମସ୍ତଙ୍କୁ ବୁଲି ବୁଲି କ୍ଷମାମାଗି କହୁଥାଏ ମୁଁ ଜାଣିନଥିଲି ଆମ ଭୁବନେଶ୍ବର “ସ୍ମାର୍ଟ ସିଟି”ର ଚେହେରା ମହାକାଳଫଳ ସଦୃଶ । ପାଣି ଛାଡ଼ିବା ପରେ କନ୍ଯା ଘର ଲୋକେ ବର ଓ ବରଯାତ୍ରୀଙ୍କୁ ଖୋଜି ଖୋଜି ଡାକ୍ତରଖାନାରେ । କନ୍ଯାଘର ଲୋକଙ୍କୁ ଦେଖି ବର ମାନେ ଖତୁଆ ଆଗରେ ଦୌଡ଼ିଲା, ତା’ ବରଯାତ୍ରୀ , କହୁଥାନ୍ତି ଜୁହାର ଭୁବନେଶ୍ବର – ଜୁହାର ସ୍ମାର୍ଟ ସିଟି । କନ୍ୟା ପିତା ନିରାଶ ହୋଇ ଘରକୁ ଫେରି କାନ୍ଦିକାନ୍ଦି ଝିଅ କୁ କହୁଥିଲା ” ତତେ ବାଡୁଅ ରଖିଲା ସ୍ମାର୍ଟ ସହର”(ବ୍ୟଙ୍ଗକବି ଡକ୍ଟର ଧର୍ମଛଡା) Categories: ଓଡ଼ିଶା, ମହାନଗର, ହୋମ୍ Related Content ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ by Proprietor Abhimanyu Maharana June 12, 2026 AM/NS India Leads Capability Building with BITS Pilani, Celebrates Graduation of First MBA Batch in Manufacturing Management by Proprietor Abhimanyu Maharana June 11, 2026 AM/NS India and IIT Roorkee Sign Strategic MoU to Advance Education, Research and Innovation in Manufacturing and Steel Technologies by Proprietor Abhimanyu Maharana June 11, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ by Proprietor Abhimanyu Maharana June 11, 2026 How communities in Odisha and Andhra Pradesh are showing the way on Landscape Restoration by Proprietor Abhimanyu Maharana June 11, 2026 ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି by Proprietor Abhimanyu Maharana June 11, 2026