ବିନାରଥରେ ବାହୁଡ଼ାଯାତ୍ରା ସମ୍ପନ୍ନ

ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :-  ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ମଧ୍ୟ କୋଭିଡ଼ କଟକଣା ଯୋଗୁଁ ବନ୍ଦ ହୋଇଯାଇଥିବାରୁ ଭକ୍ତ ମାନେ ନିରାଶ ହୋଇଛନ୍ତି । ତେବେ ବିନା ରଥରେ ମହାପ୍ରଭୁ ମାନଙ୍କ ବାହୁଡ଼ା ନୀତି ସମ୍ପନ୍ନ ହୋଇଛି । ମଙ୍ଗଳବାର ଭୋରରୁ ଠାକୁର ମାନଙ୍କ ମଙ୍ଗଳ ଆଳତି, ବଲ୍ଲଭପୂଜା, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଆଦି ସମ୍ପନ୍ନ ପରେ ମଙ୍ଗଳାର୍ପଣ କରାଯାଇଥିଲା । କର୍ପୁର ଆଳତି ପରେ ଠାକୁର ମାନଙ୍କ ଭୋଗରାଗ କରାଯାଇଥିଲା । ମଙ୍ଗଳବାର ବାହୁଡ଼ା ଦଶମୀ ଯାତ୍ରା ଓ ହରିଶୟନ ବଡ଼ ଏକାଦଶୀ ଗୋଟିଏ ଦିନରେ ପାଳନ କରାଯାଇଛି । କୋଭିଡ଼ କଟକଣା ମାର୍ଗଦର୍ଶିକା ଅନୁସାରେ ଭକ୍ତ ମା୍େ‌ନ ମନ୍ଦିର ପରିସରସ୍ଥ ରୁପାନ୍ତରିତ ଆଡ଼ପ ମଣ୍ଡପରେ ବିଜେ କରିଥିବା ମହାପ୍ରଭୁ ମାନଙ୍କୁ ପୂଜାର୍ଚ୍ଚନ୍‌ା କରିବାର ସୁଯୋଗ ପାଇ ଆଶ୍ୱାସନା ଲାଭ କରିଛନ୍ତି । ଆଜି ମହାପ୍ରଭୁ ମାନଙ୍କୁ ନୂତନ ମୁକୁଟରେ ସୁବେଶ କରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ବେଶ ଓ ପୁଜାର୍ଚ୍ଚନା ସୁସମାହିତ ହୋଇଛି । ଲଘୁଚାପ ବର୍ଷା ଯୋଗୁଁ ସନ୍ଧ୍ୟା ପରେ ଠାକୁର ମାନଙ୍କୁ ସପ୍ତ ଆଳତି ଓ ୧୦୮ ଆଳତି ସମର୍ପଣ କରାଯାଇଥିଲା ।

ପରେ ପରେ ବିଜେ ପ୍ରତିମା ଶ୍ରୀ ଶ୍ରୀ ମଦନମୋହନ ବିଭିନ୍ନ ବାଦ୍ୟ ବାଜଣାରେ ତିନି ବେଢା ମନ୍ଦିର ପରିକ୍ରମା କରିଥିଲେ । ଠାକୁରଙ୍କ ସହିତ ସେବାଧିପତିଙ୍କ ନାମରେ ସଂକଳ୍ପିତ ମହାଦୀପ ମଧ୍ୟ ବେଢା ପରିକ୍ରମା କରିଥିଲେ । ରାତି ୮ଟା ବେଳେ ଏହି ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ମହୋତ୍ସବ ପାଳନରେ ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, ସଭାପତି ସେବକ ଜଗନ୍ନାଥ ସାହୁ, ସମ୍ପାଦକ ସେବକ ଲୋକନାଥ ସାହୁ, ଉପ ପ୍ରଶାସନିକ ସେବକ କୈଳାଶ ସାବତ, ନିଧି ସେବକ ହରିହର ପଣ୍ଡା, ସେବାୟତ ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ଶିଶିର ପଣ୍ଡା, ପଣ୍ଡିତ ହାଡ଼ୁ ମିଶ୍ର, ଦଇତାପତି ସେବକ ମନମୋହନ ଦାଶ, ଅଶୋକ ସାମନ୍ତରା, ମନୋଜ ସାହୁ, ଯୁଗଳ ପଣ୍ଡା, ଜଗନ୍ନାଥ ସାହୁଙ୍କ ସମେତ ପ୍ରଶାସନର ସେବକ ମାନେ ଉପସ୍ଥିତ ଥିଲେ । ବୁଧବାର ମହାପ୍ରଭୁ ମାନଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ଗୁରୁବାର ଅଧରପଣା ସର୍ମପଣ, ଶୁକ୍ରବାର ମହାପ୍ରଭୁ ମାନଙ୍କ ନିଳାଦ୍ରୀ ବିଜେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ସେବା ପକ୍ଷରୁ ସୂଚନା ମିଳିଛି । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ବଡ଼ ରଙ୍ଗଣି ସାହି, ପାଟଣା ସାହି ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳର ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ମଧ୍ୟରେ ଠାକୁର ମାନଙ୍କ ବାହୁଡ଼ା ଯାତ୍ରା ନୀତି ସମାପନ ହୋଇଛି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version