ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସରିବ : ବିଳମ୍ବିତ ରାତିରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି ପ୍ରସ୍ତୁତି

ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଓ କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ପୁରୀ :- ସୋମବାର ଦଶମୀ ସନ୍ଧ୍ୟା ଦର୍ଶନ । ଚଳିତ ବର୍ଷ ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନ୍ତିମ ଦର୍ଶନ । ଭକ୍ତଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅବଢା । ସକାଳ ସାଢ଼େ ୧୦ ଭିତରେ ସରିବ ପ୍ରଥମ ଭୋଗମଣ୍ଡପ । ଶ୍ରଦ୍ଧାଳୁମାନେ ଆଡ଼ପ ଅବଢା ପାଇବାର ସୌଭାଗ୍ୟ ଲାଭ କରିବେ । ଠାକୁରଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ବ୍ରାହ୍ମଣଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରିବେ ଭକ୍ତ ।

ମଙ୍ଗଳବାର ବାହୁଡ଼ା ଯାତ୍ରା ଥିବାରୁ ସୋମବାର ରାତିରୁ ହିଁ ଠାକୁରଙ୍କ ପହଣ୍ଡି ପ୍ରସ୍ତୁତି ଚାଲିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ଦର୍ଶନର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଭୋର ୪ଟାରେ ଠାକୁରଙ୍କ ଦ୍ୱାର ଫିଟି ମଙ୍ଗଳ ଆଳତୀ ହେବ ୪ଟା ୩୦ମିନିଟ୍‌ରେ ।

ପରେ ମଇଲମ ତଡପଲାଗି ୫ଟାରେ, ଅବକାଶ ୬ଟାରେ, ରୋଷହୋମ ୬ଟା୧୫ମିନିଟ୍‌ରେ, ସୂର୍ଯ୍ୟପୂଜା ୬ଟା୩୦ମିନିଟ୍‌ରେ, ଦ୍ୱାରପାଳ ପୂଜା ୬ଟା ୪୫ ମିନିଟ୍‌ରେ ବଢି ବେଶ ଶେଷ ହେବ ୭ଟାରେ । ଗୋପାଳବଲ୍ଲଭ ନୀତି ସାଢ଼େ ୭ଟାରେ ହୋଇ ସକାଳଧୂପ ଅନୁଷ୍ଠିତ ହେବ ସକାଳ ୮ଟାରୁ ସାଢେ ୯ଟା ମଧ୍ୟରେ । ଭୋଗମଣ୍ଡପ ସାଢେ ୧୦ ସୁଦ୍ଧା ସରିବାକୁ ଧାର୍ଯ୍ୟ ହୋଇଛି । ଏହାପରେ ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅନ୍ନ ମହାପ୍ରସାଦ ।

ଅନ୍ୟାନ୍ୟ ନୀତିକାନ୍ତି ପରେ ରାତି ୧୦ଟା ୧୫ ମିନିଟ୍‌ରେ ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବେ । ପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ । ୧୦ଟା୩୦ରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେବ । ଏହାପରେ କୋଠସୁଆଁସିଆମାନେ ସିଂହାସନଠାରେ ଚାରମାଳ ବାନ୍ଧିବେ । ରାତ୍ର ୧୧ରୁ ରାତି ୨ଟା ଭିତରେ ଚାରମାଳ ବନ୍ଧା ହେବ । ରାତି ସାଢେ ୨ଟାରେ କୁସୁମିଲାଗି ନୀତି ଅନୁଷ୍ଠିତ ହେବ । (ଶ୍ରୀ ଲାଲା ଅନନ୍ତ କୁମାର ସିଂହଁ )

Exit mobile version