ସ୍ୱଚ୍ଛତା ପାଇଁ ଆଦର୍ଶ ସାଜିଛନ୍ତି ଶତାୟୁ ବୃଦ୍ଧା ଟି. ପରମା – ଟିମ କ୍ଲିନ ସିଟି ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ବ୍ରହ୍ମପୁର :-  ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜାରି ରହିଛି ସାପ୍ତାହିକ ସାମାଜିକ ସେବା ଅଭିଯାନ। ଏହି କ୍ରମରେ ଟିମ ପକ୍ଷରୁ ହାତକୁ ନିଆଯାଇଛି ନିଆରା ପଦକ୍ଷେପ। ବ୍ରହ୍ମପୁର ଉପକଣ୍ଠ ଉପୁଲାପୁଟି ଗ୍ରାମର ଶତାୟୁ ବୃଦ୍ଧା T. ପରମାଙ୍କୁ ତାଙ୍କ ବାସଭବନରେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବୟସ ଯେମିତି ପରମାଙ୍କ ନିକଟରେ ହାର ମାନିଯାଇଛି। ଆଉ କରୋନା ବି ଡରି ପାଖ ମାଡିନି ପରମାଙ୍କର। ବର୍ଷ ବର୍ଷ ଧରି ନିଜ ଗ୍ରାମର ରାସ୍ତାଘାଟ ନିୟମିତ ସଫା କରୁଛନ୍ତି ସେ। କେବଳ ଏତିକି ନୁହେଁ ବରଂ ସେ ଅନ୍ୟକୁ ପରିବେଶ ସୁରକ୍ଷା ସମ୍ପର୍କରେ ଅନ୍ୟକୁ ପରାମର୍ଶ ମଧ୍ୟ ଦିଅନ୍ତି।

କେହି ଖିଲାପ କରିବା ଦେଖିଲେ ତାଙ୍କୁ ତାଗିଦ ବି କରନ୍ତି। ସମଗ୍ର ଗ୍ରାମରେ ପରମାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ତାଙ୍କ ଭଳି ଜଣେ ବଣର ମଲ୍ଲିଙ୍କୁ ସମ୍ବର୍ଦ୍ଧନା ଦେଇ ଆଜି ଟିମ କ୍ଲିନ ସିଟିର ସବୁ ସଦସ୍ୟ ବେଶ ଗର୍ବିତ। ପରେ ଟିମର ସଦସ୍ୟଙ୍କ ସହ ନିଜେ ପରମା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଟିମ ସଦସ୍ୟଙ୍କ ଦ୍ୱାରା ହୋଇଥିବା ସ୍କୁଲ ସଫେଇ କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ଏହି କାର୍ଯ୍ୟରେ ଗ୍ରାମର ବହୁ ପ୍ରତିଷ୍ଠିତ ଲୋକ ସହଯୋଗର ହାତ ବଢାଇଥିଲେ। ପରେ ଟିମ ସଦସ୍ୟ ମାନେ ବ୍ରହ୍ମପୁର ଫେରିବା ବାଟରେ ଗୋପାଳପୁର ଛକରେ ଓଭର ବ୍ରିଜ ତଳେ ବେନିୟମ ଭାବେ ଲାଗିଥିବା ପୋଷ୍ଟର ଗୁଡିକୁ ଚିରି ବାହାର କରିଥିଲେ। ଗତ ରବିବାର ଅନୁରୂପ ଭାବେ ଟିମ ପକ୍ଷରୁ ବ୍ରହ୍ମପୁର ବ୍ରହ୍ମାନଗର ପ୍ରାଥମିକ ବିଦ୍ୟାଳୟ ପରିସରର ସଫେଇ କାର୍ଯ୍ୟ ହାତକୁ ନେଇଥିଲେ।

Exit mobile version