୬ ଘଣ୍ଟିଆ ଓଡ଼ିଆ ବନ୍ଦରେ ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ଯୋଗଦାନକୁ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାରଭୁବନେଶ୍ୱର  :-  କେନ୍ଦ୍ରର ମୋଦି ସରକାରଙ୍କ ଅପାରଗତା ଓ ଦାୟିତ୍ୱହୀନତା ଯୋଗୁଁ ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ୪ଟି ପ୍ରମୁଖ ବାମଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦିଆଯାଇଥିଲା  । ଆଜିର ‘ଓଡ଼ିଶା ବନ୍ଦ’ ଡାକରାକୁ କଂଗ୍ରେସ ଦଳ ପୂର୍ଣ୍ଣମାତ୍ରାରେ ସାହାଯ୍ୟ ସହଯୋଗ କରିବ ଏବଂ ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନଗ୍ୟାସ ଗୋଟେ ଦିନ ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରି ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଥିଲେ  । ସେହି ଅଂଶ ସ୍ୱରୂପ ଓଡ଼ିଶା ବନ୍ଦକୁ ରାଜ୍ୟର ସମସ୍ତ ଅଞ୍ଚଳରେ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀମାନେ ସମର୍ଥନ କରି ସଫଳ କରିଥିବାରୁ ପି.ସି.ସି ସଭାପତି ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ  ।

ଆଜି ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଦଳୀୟ ପତାକା ଧରି ଲୋୟର ପି.ଏମ୍‌.ଜି. ରେଲୱେ ଷ୍ଟେସନ୍‌, ମାଷ୍ଟରକ୍ୟାଣ୍ଟିନ ଛକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବାସହ ମହଙ୍ଗାମାଡ଼ର ପ୍ରତିବାଦ କରିଥିଲେ  । ପ୍ରମୁଖ ବାମଦଳର ଶୋଭାଯାତ୍ରାରେ ପି.ସି.ସି. ସଭାପତି ଓ କଂଗ୍ରେସ୍ ନେତୃବୃନ୍ଦ ଯୋଗଦେଇଥିଲେ  । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସି. ସମ୍ପାଦକ ରୁଦ୍ର ରାଜୁ, ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,

ବିଧାୟକ ସୁରେଶ କୁମାର ରାଉତରାୟ, ପି.ସି.ସି.ର ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁ, ଅମୀୟ ପାଣ୍ଡବ, ସୁଦର୍ଶନ ଦାସ, ମନୋରଞ୍ଜନ ଦାସ, ପି.ସି.ସି. ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଛାତ୍ରନେତା ବିଶ୍ୱଭୂଷଣ ମହାପାତ୍ର, କାର୍ତ୍ତିକ କାଣ୍ଡି, ଶଙ୍କୁନା କହଁର, ସାଗର ପରିଡ଼ା, ଲିଙ୍ଗରାଜ ସାହୁ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସାମିଲ୍ ହୋଇଥିଲେ  । ସାରା ରାଜ୍ୟରେ ଏହି ବନ୍ଦକୁ ସ୍ୱତଃପ୍ରବୃତ ଭାବେ ଜନସାଧାରଣ ସମର୍ଥନ କରିଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କଂଗ୍ରେସ କର୍ମୀମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ  । ଦୀପକ କୁମାର ମହାପାତ୍ର ଗଣମାଧ୍ୟମ ସଂଯୋଜକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

Exit mobile version