ଅହମ୍ମଦାବାଦ ରଥଯାତ୍ରାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଅହମ୍ମଦାବାଦ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ଅହମ୍ମଦାବାଦ :- ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅଡ଼ାଲଜ ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ କୋଭିଡ୍‍ କଟକଣା ମଧ୍ୟରେ ପାଳନ କରାଯାଇଛି । ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ.ଆର୍‍.ସି) ଆନୁକୂଲ୍ୟରେ ଆୟୋଜିତ ଏହି ରଥଯାତ୍ରାରେ କରୋନା ମହାମାରୀର ଆତଙ୍କକୁ ଭ୍ରୁକ୍ଷେପ ନ କରି ଯୋଗଦେଇଥିବା ସିମିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା । ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଦୀଅଁମାନଙ୍କର ପୂଜାର୍ଚ୍ଚନା ବିଧିକୁ ଫେସ୍‍ବୁକ୍‍ ଜରିଆରେ ସିଧାପ୍ରସାରଣ କରାଯାଇଥିଲା ।

ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ହରିବୋଲ, ହୁଳହୁଳି, ଭଜନ, କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନୀ ମଧ୍ୟରେ ସୁନ୍ଦର, ସୁସଜ୍ଜିତ ଓ ସୁଶୋଭିତ ରଥ ଉପରକୁ ଅଣାଯାଇଥିଲା । ଦେବୀ ସୁଭଦ୍ରାଙ୍କ ର ରୋଷଣୀ ମହିଳାମାନେ କରୁଥିବାର ଦୃଶ୍ୟ ବେଶ୍‍ ମନୋରମ ଥିଲା । ଉତ୍ସବରେ ଗୁଜରାଟର ଉପ-ମୁଖ୍ୟମନ୍ତ୍ରୀ ନୀତିନ ଭାଇ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀ ପଟେଲ ଓ ଜେ.ସି.ଏ.ଆର୍‍.ସିର ଅଧ୍ୟକ୍ଷ ଡଃ ସୁଦୀପ କୁମାର ନନ୍ଦ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ମନ୍ଦିର ଅଗଣା ମଧ୍ୟରେ ରଥଟିକୁ ସାଂକେତିକ ଭାବରେ ୧୦୦ମିଟର ପର୍ଯ୍ୟନ୍ତ ଟଣାଯାଇଥିଲା । ଏହାପରେ ଠାକୁରମାନଙ୍କୁ ମନ୍ଦିରର ତଳ ତାଲାରେ ଥିବା କମ୍ୟୁନିଟୀ ହଲ୍‍କୁ ନିଆଯାଇ ସେଠାରେ ନିର୍ମିତ ସିଂହାସନରେ ବିରାଜମାନ କରାଯାଇଥିଲା । ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏହି ଠାରେ ଦୀଅଁମାନେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ଟ୍ରଷ୍ଟର ସଦସ୍ୟ ସଚିବ ବଦ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । 

ଆଜିର ରଥଯାତ୍ରାରେ ପ୍ରାୟ ୨୦୦୦ ଶ୍ରଦ୍ଧାଳୁ ସାମିଲ ହୋଇଥିବା ଦେଖାଯାଇଥିଲା । ରଥଯାତ୍ରା ଉତ୍ସବର ଆୟୋଜନ ଏବଂ ଏହାକୁ ସୁଚାରୁ ରୂପେ ପରିଚାଳନା କରିବାରେ ଟ୍ରଷ୍ଟୀ ଓ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଡ. ସୁଦୀପ କୁମାର ନନ୍ଦ, ହରେକୃଷ୍ଣ ଦାଶ, ମହେଶ୍ୱର ସାହୁ, ସଦସ୍ୟ ସଚିବ ବଦ୍ରୀ ମହାପାତ୍ର, ରବିରଞ୍ଜନ ପଣ୍ଡା, ଡଃ ନିବେଦିତା ସାହୁ, ରତୀନ୍ଦ୍ରନାଥ କାନୁନ୍‍ଗୋ, ଲୀଲା ଦାଶ ଏବଂ ତୃପ୍ତିମୟୀ ମହାପାତ୍ର ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ।

Exit mobile version