ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ନବଯୌବନ ଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ହିଞ୍ଜିଳିକାଟୁ :-  ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚବଣିଆ ପାବନ ଶ୍ରୀକ୍ଷେତ୍ରରେ ଶ୍ରୀକ୍ଷେତ୍ରାଧିପତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜୀଉମାନଙ୍କ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ଜୀଉମାନଙ୍କ ନ୍ୟାସ, ମଙ୍ଗଳାରୋପଣାଧି ବିଧି ପାଳନ ପରେ ସୁବେଶ କରାଯାଇଥିଲା । ଶୁକ୍ରବାର ଅମାବାସ୍ୟା ତିଥିରେ ନେତ୍ରୋତ୍ସବ, ଉଭା ଯାତ୍ରା ଓ ନବଯୌବନ ଦର୍ଶନ ନୀତି ପାଳନ କରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା, ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ରଞ୍ଜିତ ଦାଶ ଶର୍ମା ବୈଦିକ ରୀତିରେ ସମସ୍ତ କର୍ମକାଣ୍ଡ ସମ୍ପାଦନା କରିଥିଲେ । ମନ୍ଦିର ସେବାଧିପତିଙ୍କ ପକ୍ଷରୁ ସଭାପତି ସେବକ ଜଗନ୍ନାଥ ସାହୁ କର୍ତ୍ତା ସାଜି ବିହିତ ବିଧାନରେ ଅଂଶ ଗ୍ରହଣ କରିଥିଲେ ।

ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ପ୍ରଶାସନିକ କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଶ୍ରୀ ଜୀଉମାନଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଥିଲେ । ମନ୍ଦିର ପ୍ରଶାସନ ସେବା ପକ୍ଷରୁ ପ୍ରଶାସନ ସେବକ ନିର୍ମଳ ମିଶ୍ର, ଉପ ପ୍ରଶାସନିକ ସେବକ କୈଳାସ ସାବତ, ନିଧି ସେବକ ହରିହର ପଣ୍ଡା, ସମ୍ପାଦକ ସେବକ ଲୋକନାଥ ସାହୁ, ସହାୟକ ସେବକ ସରୋଜ ନନ୍ଦ, ପଦ୍ମନାଭ ରଥ, ପୁଷ୍ପାଳକ ସେବକ ଝୁନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନିକ କୋଭିଡ କଟକଣା ପାଳନ ପୂର୍ବକ ବିନା ରଥରେ ଶ୍ରୀ ଜୀଉମାନଙ୍କ ରଥଯାତ୍ରା ନୀତି ମନ୍ଦିର ପରିସରରେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର ସୂଚନା ଦେଇଛନ୍ତି । (ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version