ଆପୋଲୋ ହସ୍ପିଟାଲ୍‌ସ ଫାଉଣ୍ଡେସନ୍ ସାରା ଦେଶରେ ପିଲାମାନଙ୍କ ପାଇଁ ମାଗଣା ଡିଜିଟାଲ୍‌ ପରାମର୍ଶ ପ୍ରଦାନ କରିବ

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଭୁବନେଶ୍ୱର :- ଡକ୍ଟର ପ୍ରତାପ ସି ରେଡ୍ଡି ଓ ତାଙ୍କ ପରିବାର ଦ୍ୱାରା ସ୍ଥାପନ କରାଯାଇଥିବା ଆପୋଲୋ ହସ୍ପିଟାଲ୍ସ ଫାଉଣ୍ଡେସନ୍‌ର ଏକ ପ୍ରମୁଖ ଅଭିଯାନ ହେଉଛି ଉପେକ୍ଷୀତ ବର୍ଗର ପିଲାମାନଙ୍କୁ ମେଡିକାଲ୍ ସହାୟତା ଯୋଗାଇଦେବା । ଦରକାର କରୁଥିବା ପିଲାମାନଙ୍କ ନିକଟରେ ବିନା ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ଆପୋଲୋ ହସ୍ପିଟାଲ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ଡକ୍ଟର ସଙ୍ଗୀତା ରେଡ୍ଡି ଏକ ଅଭିଯାନର ପରିକଳ୍ପନା ପ୍ରସ୍ତୁତ କରିଛନ୍ତି । ସେଭିଂ ଏ ଚାଇଲଡ୍‌ସ ହେଲ୍‌ଥ ଇନିସିଏଟିଭ୍ (ସଚି) ହେଉଛି ଏସିଆର ସର୍ବବୃହତ୍ ସ୍ୱେଚ୍ଛାସେବୀ ଶିଶୁ ସଂଗଠନ ଯାହା ୨୪ ଘଣ୍ଟା ଆପୋଲୋ ହସ୍ପିଟାଲ୍‌ର ଶିଶୁ ରୋଗ ବିଶେଷଜ୍ଞଙ୍କ ଜରିଆରେ ବିନା ମୂଲ୍ୟରେ ଏକ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ଜୁଲାଇ ୭ ପର୍ଯ୍ୟନ୍ତ ସେବା ପ୍ରଦାନ କରିବ । ଏହି ଅଭିଯାନରେ ୧୮୦ରୁ ଅଧିକ ଶିଶୁ ରୋଗ ବିଶେଷଜ୍ଞ ଯୋଡ଼ି ହୋଇଛନ୍ତି ଯେଉଁମାନେ ଡିଜିଟାଲ୍ ମାଧ୍ୟମରେ ପରାମର୍ଶ ପ୍ରଦାନ କରିବେ । ସଚି ଅଭିଯାନର ଲକ୍ଷ୍ୟ ହେଉଛି ପିଲାମାନେ ଯେଉଁ ବର୍ଗର ହୁଅନ୍ତୁ ନା କାହିଁକି ସେମାନଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚିବା ଦରକାର । ଭାରତରେ ଶିଶୁ ରୋଗ ଏକ ଅବହେଳିତ କ୍ଷେତ୍ର ଏବଂ ଜନସଂଖ୍ୟାର ୨୬%ଙ୍କ ବୟସ ହେଉଛି ୦-୧୪ ବର୍ଷର । ୟୁନିସେଫ୍ ତଥ୍ୟ ଅନୁସାରେ ପ୍ରତିବର୍ଷ ୨୫ ନିୟୁତ ଶିଶୁ ଜନ୍ମ ହେଉଛନ୍ତି ଏବଂ ତାହାର ଏକ ପଞ୍ଚମାଂଶ ଭାରତରେ ଜନ୍ମ ଗ୍ରହଣ କରୁଛନ୍ତି ।

ତେଣୁ ଏହି ଆହ୍ୱାନପୂର୍ଣ୍ଣ ସମୟରେ ପିଲାମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା ଲାଗି ସେମାନଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଜରୁରୀ । ସ୍ୱାସ୍ଥ୍ୟ ସେବା ହାସଲ କରିବାରେ ରହିଥିବା ପ୍ରତିବଂଦ୍ଧକଙ୍କୁ ଦୂର କରିବା ଲାଗି ସଚିର ସଦ୍ୟତମ ଅଭିଯାନକୁ ଆପୋଲୋର ଚବିଶ ଘଣ୍ଟିଆ ପ୍ଲାଟ୍‌ଫର୍ମ ସହିତ ଯୋଡ଼ାଯାଇଛି ଯେଉଁଥିରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ନିଜ ଘରେ ସୁରକ୍ଷିତ ରହି ବିନା ମୂଲ୍ୟରେ ଉତ୍କର୍ଷ କେନ୍ଦ୍ରରୁ ଇ-ପରାମର୍ଶ ହାସଲ କରିପାରିବେ । ଏହି ଅଭିଯାନ ସମ୍ପର୍କରେ ଉପାସନା କାମିନେନି କୋନିଡେଲା, ଉପ ସଭାପତି, ସିଏସ୍‌ଆର୍‌, ଆପୋଲୋ ଫାଉଣ୍ଡେସନ୍ କହିଛନ୍ତି ଯେ, “ଡକ୍ଟର ସଙ୍ଗୀତା ରେଡ୍ଡୀ ସର୍ବଦା ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଉତ୍ସାହିତ ରହିଥାନ୍ତି । ତାଙ୍କ ଲକ୍ଷ୍ୟ ସହିତ ସମୟୋପଯୋଗୀ ସହାୟତା ଓ ଆମ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ବଦାନ୍ୟତା ଯୋଗୁଁ ସାରା ଦେଶର ଉପେକ୍ଷୀତ ପିଲାମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଆଣିଦେବାରେ ଆମ ପାଇଁ ସହାୟକ ହୋଇଛି । ପିଲାମାନେ ସବୁଠୁ ସମ୍ବେଦନଶୀଳ କାରଣ ସେମାନଙ୍କ ଟିକାକରଣ ହୋଇନାହିଁ । ଏହି ଅଭିଯାନର ଲିଙ୍କ୍ ସେୟାର୍ କରିବା ଏବଂ ଏହାର ଲାଭକୁ ପହଞ୍ଚାଇବା ଲାଗି ଆମେ ଲୋକମାନଙ୍କୁ ଆହ୍ୱାନ ଦେଉଛୁ । ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତ, ଆପଣଙ୍କ ସହାୟତା ପାଇଁ ଆମେ ରହିଛୁ ।’’

Exit mobile version