କୋଭିଡ୍ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ଉପସଭାପତି ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖା ପରେ ଏବେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂପାଦକୀୟକୁ ନେଇ ଚର୍ଚ୍ଚା ଜୋରଧରିଛି

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର)  କଟକ :- କୋଭିଡ୍ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ଉପସଭାପତି ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖା ପରେ ଏବେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂପାଦକୀୟକୁ ନେଇ ଚର୍ଚ୍ଚା ଜୋରଧରିଛି । ଅବଶ୍ୟ ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ କିନ୍ତୁ, ରାଜନୈତିକ ଦଳରେ ଭିନ୍ନମତକୁ ସମ୍ମାନ ଦେବା ଏବଂ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛି । ଦଳରେ ଭିନ୍ନମତ କଣ ନେତା ବିରୋଧୀ ? ଶୀର୍ଷକ ସମ୍ପାଦକୀୟରେ ସେ ଲେଖିଛନ୍ତି ଯେ, ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧି ହୁଅନ୍ତୁ କିମ୍ବା ପାର୍ଲାମେଣ୍ଟକୁ, ସେମାନେ ଦଳୀୟ ନେତାଙ୍କ ନିର୍ଦ୍ଦେଶରେ ମତ ପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି ।

ଗୃହ ଭିତରେ ଆଉ ବୌଦ୍ଧିକ ବିଚାର-ଆଲୋଚନା ହେଉନାହିଁ କି ହୋଇପାରୁନାହିଁ। ଜଣେ ଚାହିଁଲେ ବି, କାରଣ ଦଳର ଦୃଷ୍ଟିକୋଣକୁ ହିଁ କେବଳ ଗୃହରେ ଉପସ୍ଥାପନ କରିବା ଏକପ୍ରକାର ବାଧ୍ୟ କରାଯାଉଛି । ଯଦି କିଏ ଦଳୀୟ ନେତାଙ୍କ ସ୍ୱାର୍ଥ ବିରୋଧୀ କିନ୍ତୁ ଦେଶ ବା ରାଜ୍ୟ ସପକ୍ଷରେ ମତ ଦେଲା ତେବେ ତାହାକୁ ଦଳ ବିରୋଧୀ ବୋଲି ଆଖ୍ୟା ଦେବାକୁ ଦୁଇ ମିନିଟ୍ ବି ଲାଗୁନଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭର୍ତ୍ତୃହରି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯଦି ସେ ଦଳ ସରକାରରେ ଅଛି, ତେବେ କିଛି ପଣ୍ଡିତ ଅଫିସର ହିଁ ସରକାରଙ୍କ ନୀତି ନିର୍ଦ୍ଧାରଣ କରିନେଉଛନ୍ତି ଏବଂ ତାକୁ ହିଁ ଶାସକ ଦଳର ନୀତି ଭାବେ ଲଦି ଦିଆଯାଉଛି ।

କୌଣସି ପ୍ରସଙ୍ଗ ନେଇ ଭିନ୍ନମତ ପ୍ରକାଶ ପାଇବା ଏବଂ ସେନେଇ ବିତର୍କ କରାଯିବାର ସୁଯୋଗ ମିଳୁନାହିଁ। ଏହା ବାସ୍ତବରେ ଦଳ ବିରୋଧୀ ନା ନେତାଙ୍କ ସ୍ୱାର୍ଥ ବିରୋଧୀ ବୋଲି କହି ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି। କମ୍ପାନୀ ମାଲିକ ଯେଭଳି ନିଜ ଅନୁଗତ କିଛି ମ୍ୟାନେଜର ଏବଂ ଗୁମାସ୍ତା ରଖି ପରିଚାଳନା କରେ, ସେଭଳି ଢଙ୍ଗରେ ଅଧିକାଂଶ ରାଜନୈତିକ ଦଳ ଚାଲିଛି ବୋଲି ଭର୍ତ୍ତୃହରି ଲେଖିଛନ୍ତି। ଯେଉଁ ରାଜନୈତିକ ଦଳରେ ବିଚାରବିମର୍ଶ ବନ୍ଦ ହୋଇଯାଉଛି ବା ସଂକୁଚିତ ହୋଇଯାଇଛି, ସେ ଦଳଠାରୁ ଗଣତାନ୍ତ୍ରିକ ବ୍ୟବହାର ଆଶା କରିବା ବୃଥା। ଦଳରେ ଭିନ୍ନମତ କଣ ନେତା ବିରୋଧୀ ଶୀର୍ଷକ ଆଲେଖ୍ୟରେ ଅବଶ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳ ବା ବ୍ୟକ୍ତି ବିଶେଷଙ୍କ ନାଁ ନେଇନାହାଁନ୍ତି। କିନ୍ତୁ ବିରୋଧୀଙ୍କୁ ଖୋରାକ୍ ଯୋଗାଇଥିବା ଏହି ଆଲେଖ୍ୟକୁ ବିଜେଡିରେ ଥିବା ଅନ୍ତର୍ନ୍ଦ୍ୱନ୍ଦ୍ୱର ପ୍ରତିଫଳନ ବୋଲି କହିଛି କଂଗ୍ରେସ।

ତେବେ ୧ ତାରିଖ ଦିନ ବିଜେଡ଼ି ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏକ ସମ୍ପାଦକୀୟ ଲେଖିଥିଲେ । ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ସରକାରଙ୍କ କୋଭିଡ୍ ପରିଚାଳନାର ଗୁମର ଖୋଲିଦେଇଥିଲା। ସୌମ୍ୟ ସିଧା ସିଧା କହିଥିଲେ,କେତେକ ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁଁ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ମୃତ୍ୟୁସଂଖ୍ୟା ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ କରିଛି ତାହା ଶାସନର ମର୍ଯ୍ୟାଦା ନଷ୍ଟ କରିଛି। ଏଥିସହିତ କୋଭିଡ୍ ମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ସୌମ୍ୟଙ୍କ ଏହି ଲେଖା ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ଖୋରାକ୍ ଯୋଗାଇ ଥିବା ବେଳେ ବିଜେଡି କହିଥିଲା ସରକାର କିଛି ତଥ୍ୟ ଲୁଚାଇ ନାହାଁନ୍ତି।

Exit mobile version