ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆହାର କେନ୍ଦ୍ର ସାହାରା

ଭୁବନେଶ୍ୱର, (ଓଡିଶା ତାଜାନ୍ୟୁଜ୍ ) ଆହାରକେନ୍ଦ୍ର 31.3.2020 :- ବର୍ତମାନ ଲକ୍ ଡାଉନ ସମୟରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ଆହାର କେନ୍ଦ୍ର ଗୁଡିକ ସାହାରା । ରାଜ୍ୟର ୩୦ ଟି ଜିଲ୍ଲାରେ ଡାକ୍ତରଖାନା ପରିସରରେ ଓ ଏହାର ଆଖପାଖ ଥିବା ୬୭ ଟି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ପାଇଁ ରାଜ୍ୟ ସରକାର ଆହାର କେନ୍ଦ୍ରଗୁଡିକ ଉପରେ କଟକଣା ଲଗାଇଥିବା ବେଳେ ଡାକ୍ତରଖାନା ପରିସର ଓ ଏହାର ନିକଟରେ ଥିବା ଆହାର କେନ୍ଦ୍ରର ଗୁରୁତ୍ୱକୁ ଉପଲବ୍ଧି କରି ସେହି ସବୁ ଆହାର କେନ୍ଦ୍ର ଖୋଲା ରଖିବା ପାଇଁ ସ୍ଥିର କରିଥିଲେ ।

ସେହି ଅନୁଯାୟୀ ଉକ୍ତ ୬୭ଟି ଆହାର କେନ୍ଦ୍ରରେ ନିୟମିତ ଖାଦ୍ୟ ପରିବେଷଣ କରାଯାଉଛି । ଗତ କାଲି ଏହି ସମସ୍ତ ଆହାର କେନ୍ଦ୍ରରେ ଦିନବେଳା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଖାଦ୍ୟ ଖାଇଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ସବୁ ଆହାର କେନ୍ଦ୍ରରେ କେବଳ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ନୁହେଁ ଅନେକ ଗରିବ ଲୋକ ମଧ୍ୟ ଏହି ବନ୍ଦ ସମୟରେ ଖାଦ୍ୟ ପାଇ ପାରୁଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆହାର କେନ୍ଦ୍ରରେ ସତର୍କତା ପାଳନ କରାଯାଉଥିବା ପ୍ରକାଶ କରାଯାଇଛି । ବିଶେଷକରି ଲୋକମାନେ ଦୂରତା ରକ୍ଷାକରି ଧାଡିରେ ଆସିବା , ଆହାର କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ବାହାରେ ରଖାଯାଇଥିବା ସାବୁନରେ ଭଲଭାବେ ହାତ ଧୋଇବା , ପଇସା କାହା ହାତକୁ ନଦେଇ ଉଦ୍ଦିଷ୍ଟ ବାକ୍ସରେ ପକାଇବା ,

ଖାଦ୍ୟ ଖାଇବା ସମୟରେ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇ ବ୍ୟବସ୍ଥା କରାଯାଇଛି । ଖାଦ୍ୟ ଖାଇସାରିବା ପରେ ଲୋକମାନେ କେନ୍ଦ୍ର ପରିସରରେ ହାତ ନଧାଇ ଯେଭଳି ବାହାରେ ଆସି ଦୂରତା ରକ୍ଷାକରି ହାତ ଧୋଇବେ ସେଥିନେଇ ସ୍ୱତବ ହାତ ଧୋଇବାବ୍ୟବସ୍ଥା କରାଯାଇଛି । ଲକ୍ ଡାଉନ ସରିବା ପର୍ଯ୍ୟନ୍ତ ଏହି ସମସ୍ତ ୬୭ ଆହାର କେନ୍ଦ୍ରରେ ଲୋକଙ୍କୁ କିଭଳି ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସୁରକ୍ଷିତ ଭାବେ ଉନ୍ନତମାନର ଖଦ୍ୟ ପରିବେଷଣ କରାଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରାଯାଇଛି।

Exit mobile version