ଅନଲକ୍‌-୨ : ଅଂଟା ସଳଖିବାକୁ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରୟାସ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :-  ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର କାୟା ବିସ୍ତାର କରିବା ପରେ ଏହାକୁ ପ୍ରତିହିତ କରିବା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଦୀର୍ଘ ୪ ମାସ ଧରି ଲକଡ଼ାଉନ, ସପ୍ତାହନ୍ତ ସଟଡ଼ାଉନ, ନାଇଟକର୍ଫ୍ୟୁ ପ୍ରଭୃତି ଜାରି କରାଯାଇଥିଲା । ଏଭଳି ଦୁର୍ଦ୍ଧିନ ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି । ବିଶେଷକରି ମଧ୍ୟବିତ୍ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ପାଲଟି ଯାଇଛି । କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦୋକାନ ବଜାର ବନ୍ଦ ରହିବା ସହ ଏକପ୍ରକାର ଭାବେ ଘର ମଧ୍ୟରେ ବନ୍ଦୀ ଭାବେ ଜୀବନ କଟାଇବାକୁ ପଡ଼ୁଥିଲା । ଗରିବ, ଖଟିଖିଆ, ଦିନ ମଜୁରିଆ, ଉଠା ଦୋକାନୀ, ବୁଲା ବିକାଳି, ସେଲୁନ ବ୍ୟବସାୟୀ, ପାନ ଓ ଚାହା ଦୋକାନି, ଅଟୋ ଚାଳକ, ହୋଟେଲ ଓ ଯାତ୍ରୀବାହୀ ଗାଡ଼ି ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନିଜର ଜୀବନ ଜୀବିକା ହରାଇ ବସିବା ସହ ପେଟକୁ ଦୁଇଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ସକାଶେ ସଂଘର୍ଷ କରି ଆସୁଥିଲେ ।

ଜୁଲାଇ ପହିଲାରୁ ଅନଲକ୍‌-୨ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ଏବଂ ଜନସାଧାରଣଙ୍କ ସଚେତନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ଦିନକୁ ଦିନ କମିବାରେ ଲାଗିଛି । ଯାହାକି ପ୍ରଶାସନକୁ ଆଶ୍ୱସ୍ତି ଯୋଗାଇ ଦେବା ସହ ସାଧାରଣ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ଲାଗି କଟକଣାକୁ ସମ୍ପୁର୍ଣ୍ଣ ମାତ୍ରାରେ କୋହଳ କରାଯାଇଛି । ଏଭଳି ପରିସ୍ଥିତିରେ ହିଞ୍ଜିଳିକାଟୁ ପୌରାଂଚଳ ସମତେ ବ୍ଳକର ବିଭିନ୍ନ ଗ୍ରାମାଂଚଳର କ୍ଷୁଦ୍ର ବ୍ୟବସାୟୀ ମାନେ ଅଂଟା ସଳଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପରିବାର ପ୍ରତିପୋଷଣ କରିବା ପାଇଁ ନିଜ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ସତ କିନ୍ତୁ ପ୍ରଶାସନର ପଂଚସୂତ୍ରୀ ନିୟକୁ କଡ଼ାକଡ଼ି ଭାବେ ପାଳନ କରି ବ୍ୟବସାୟ କରିବେ ବୋଲି କିଛି କ୍ଷୁଦ୍ର ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ଛକରେ ଚାହା ଦୋକାନ କରିଥିବା ମାଲିକ ମାନେ କହିଛନ୍ତି ଯେ, ବହୁ ଦିନ ଧରି ଦୋକାନ ବନ୍ଦ ରହିଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଥିଲା ।

ଘରେ ସେମାନଙ୍କ ୫ ପ୍ରାଣୀ ରହିଥିବା ବେଳେ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ବର୍ତମାନ ପରିସ୍ଥିତିରେ କଷ୍ଟକର ବ୍ୟାପାର ହୋଇପଡ଼ିଛି । କଟକଣାକୁ କୋହଳ କରାଯାଇଛି ସତ ହେଲେ ଏବେ ବି ପୂର୍ବ ପରି ଚାହା ବିକ୍ରି ହୋଇପାରୁନି । ନିୟମ ମାନି ବ୍ୟବସାୟ କରୁଥିଲେ ମଧ୍ୟ ଗ୍ରାହକଙ୍କ ଭିଡ଼କୁ ନେଇ ବହୁ ସମୟରେ ପୁଲିସ ଓ ପୌର ପ୍ରଶାସନର ଜରିମାନା ଭୟ ଘାରୁଛି । ସେହିପରି ଫାଷ୍ଟ୍‌ଫୁଡ଼୍ ଦୋକାନ କରିଥିବା ସୁବାଷ ଗୌଡ଼ କୁହନ୍ତି ଜୀବନରେ ଏଭଳି ପରିସ୍ଥିତି କେବେ ବି ଦେଖିନଥିଲି । ଆମିଷ ଫାଷ୍ଟଫୁଡ଼ ଦୋକାନରୁ ପ୍ରତ୍ୟହ ୪ରୁ ୫ ହଜାର ଟଙ୍କାର ବ୍ୟବସାୟ ହେଉଥିଲା । କର୍ମଚାରୀଙ୍କ ଦରମା ଓ ଆନୁଷଙ୍ଗିକ ସାମଗ୍ରୀ କିଣିବା ପରେ ବେଶ ୨ପଇସା ଲାଭ ହେଉଥିଲା । ସେଥିରେ ପରିବାର ପ୍ରତିପୋଣ କରିବା ସହ କିଛି ସଂଚୟ ହେଉଥିଲା । ମଇ ମାସ ପହିଲା ଠାରୁ ଦୋକାନ ବଜାର ବନ୍ଦ ହେବା ପରେ ସଂଚିତ ଅର୍ଥ ଶେଷ ହୋଇଯାଇ ହାତ ଉଧାର କରି ଚଳି ଆସୁଥିଲେ । କିଛି ଦିନ ପରେ ପୁଣିଥରେ ବ୍ୟବସାୟ ଜୋର ଧରିବ ବୋଲି ଆଶାବାଦୀ ରହିଛନ୍ତି । ଯାତ୍ରୀବାହୀ ଅଟୋ ଚାଳକ ମାନଙ୍କ ଅବସ୍ଥା କହିଲେ ନସରେ । ଗାଡ଼ି ଗଡ଼ିବା ଆରମ୍ଭ ହେବା ପରେ ପୁଣିଥରେ ସେମାନଙ୍କ ମୁହଁରେ ହସ ଫୁଟିଛି ।  (ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version