ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି ମିଳିଲା ହେଲେ ଗଡ଼ିଲାନି ଗାଡ଼ି : ଚିନ୍ତାରେ ବସ ମାଲିକ

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ୩ ମାସ ଧରି ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିଲା । ଜୁଲାଇ ପହିଲାରୁ ଅନଲକ-୨ କାର୍ଯ୍ୟକାରୀ କରାଯିବା ସହ କଟକଣା କୋହଳ କରାଯାଇଛି । ଯାତ୍ରୀବାହୀ ବସ ଚଳାଚଳ କରିବା ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ହେଲେ ଅନଲକ-୨ର ପ୍ରଥମ ଦିବସରେ ଗଡ଼ିନି ଯାତ୍ରୀବାହୀ ବସ୍ । ଲୋକଙ୍କ ମନରୁ କରୋନା ଭୟ ରହିଥିବାରୁ ଯାତ୍ରୀ ମାନେ ବସରେ ଯାତ୍ରା କରିବାକୁ ନିରାପଦ ମଣୁନାହାନ୍ତି । ଲୋକଙ୍କ ମନରୁ କରୋନା ଭୟ ନହଟିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ସହର ଦେଇ ଫୁଲବାଣୀ, ଭଞ୍ଜନଗର, ଆସିକା, ସୋରଡ଼ା, ନୟାଗଡ଼, ବୁଗୁଡ଼ା, ଦରିଙ୍ଗିବାଡ଼ି, ବାଲିଗୁଡ଼ା, ମୁଖିଗୁଡ଼ା,ରାଇକିଆ, ଭବାନିପାଟଣା, ସମ୍ବଲପୁର,

ଦଶପଲ୍ଲା ପ୍ରମୁଖ ସହରକୁ ପ୍ରତ୍ୟହ ୨ଶହରୁ ଉର୍ଦ୍ଧ୍ୱ ଯାତ୍ରୀବାହୀ ବସ ଚଳାଚଳ କରୁଥିବା ବେଳେ ହିଞ୍ଜିଳିକାଟୁ ଠାରୁ ଶେରଗଡ଼, କଙ୍କୋରଡ଼ା, ଜଗନ୍ନାଥପୁର, ପାଟପୁର, ଡ଼େଙ୍ଗାଓସ୍ତା, ପିତଳ, ବ୍ରାହ୍ମଣଛାଇ, ତରାତାରିଣୀ, ପୁରୁଷୋତମପୁର ପଭୃତି ଅଂଚଳକୁ ପ୍ରତ୍ୟହ ୩୦ରୁ ଉର୍ଦ୍ଧ୍ୱ ବସ ଯାତାୟତ କରୁଥିଲା । ହେଲେ ଯାତ୍ରୀ ପରିବହନ ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଯାତ୍ରୀ ମାନେ ବସ ଚଳାଚଳ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି । ପ୍ରଥମ ଦିବସରେ ବ୍ରହ୍ମପୁର ଠାରୁ ଭଂଜନଗର ରୁଟରେ ଗୋଟିଏ ମାତ୍ର ଯାତ୍ରୀବାହୀ ବସ ଚଳାଚଳ କରିଥିବା ବେଳେ ସେଥିରେ ଜଣେ ମଧ୍ୟ ଯାତ୍ରୀ ବସିନଥିବା ଦେଖିବାକୁ ମିଳିଥିଲା । ଲକଡ଼ାଉନ ପର ଠାରୁ ଆଜି ସୁଦ୍ଧା ଡ଼ିଜେଲ ଦର ଲିଟର ପିଛା ପ୍ରାୟ ୧୦ଟଙ୍କା ବୃଦ୍ଧି ହୋଇଥିବା ବେଳେ ଦୀର୍ଘ ୩ ମାସ ଧରି ବସ ସେବା ବନ୍ଦ ରହିଥିବା ଯୋଗୁଁ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଗୋଟାଏ ବସ ପିଛା ପ୍ରାୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଏପରି ପରିସ୍ଥିତିରେ ଯଦି ଆବଶ୍ୟକ ଯାତ୍ରୀ ନହେବେ ତେବେ ଗାଡ଼ି ଚଲାଇବା ସମ୍ଭବ ନାହିଁ ବୋଲି ବସ ମାଲିକ ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ୩ ମାସ ଧରି ବସ ସେବା ବନ୍ଦ ରହିଥିବା ବେଳେ ମାଲିକ ମାନେ ଋଣ କିସ୍ତି ସୁଝିବେ କିପରି ସେ ନେଇ ଚିନ୍ତାରେ ପଡ଼ିଛନ୍ତି ।  (ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version