ସ୍ୱାଧୀନତାର ୭୪ ବର୍ଷ ପରେ ବାଙ୍କୀ ରେ ଏବେବି ଗାଁ କୁ ନାହିଁ ରାସ୍ତା,ଖଟିଆ ଓ ଦୋଳାରେ ବୁହା ହେଉଛନ୍ତି ରୋଗୀ

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ସ୍ୱାଧୀନତାର ୭୪ ବର୍ଷ ବିତିଥିଲେ ମଧ୍ୟ ଏବେବି ଗାଁ କୁ ନାହିଁ ପକା ରାସ୍ତା ଯାହାକି ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ପଞ୍ଚାୟତ ସ୍ଥିତ ତାରପୁର ଶବରସାହି ଗାଁ ରେ। ଖବର ମୁତବକ ଡମପଡା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର  ୫ କିଲୋମିଟର ନିକଟରେ ଢ଼ଂସର ପଞ୍ଚାୟତ ।ଉକ୍ତ ପଞ୍ଚାୟତ ର ଅଧିନସ୍ଥ ତାରପୁର ଶବର ସାହି ଗାଁର ୧୪ ନଂ ୱାର୍ଡ ରେ ୫୦ ରୁ ଉର୍ଦ୍ଧ ପରିବାର ଆଜକୁ ଦୀର୍ଘ  ୬୦ ବର୍ଷରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଆସୁଛନ୍ତି। ସେଠାକାର ବାସିନ୍ଦା ମାନେ ଗାଁ କୁ ଭଲ ପକା ରାସ୍ତା ଟିଏ ପାଇଁ ପଞ୍ଚାୟତ ର  ଲୋକପ୍ରତିନିଧି ମାନଙ୍କୁ ବାରମ୍ବାର ନେହୁର ହୋଇ କହିଆସୁଥିଲେ ମଧ୍ୟ କେହି ତାଙ୍କ ର କଥାକୁ କର୍ଣ୍ଣପାତ କରୁନଥିବା ସେଠାକାର ଅଧିବାସୀ ମାନେ ଅଭିଯୋଗ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ହେଉକି ବିଧାନସଭା ନିର୍ବାଚନ ସମୟରେ ସେଠାକୁ ଭୋଟ ଭିକ୍ଷା କରିବାକୁ ଯାଉଥିବା ସମୟରେ ତମ ଗାଁ କୁ ରାସ୍ତା କରିଦେବୁ କହି କେବଳ ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକା ରାସ୍ତାଟିଏ ନିର୍ମାଣ ହୋଇନାହିଁ ଏହା ବାସ୍ତବିକ ଚିନ୍ତା ର ବିଷୟ।ବିଦ୍ୟାଳୟ କୁ ପାଠପଢିବାକୁ ହେଉ କି ବାହାରକୁ କାମଧନ୍ଦା ପାଇଁ ହେଉ ଆଦି କୌଣସି କାର୍ଯ୍ୟରେ ଗାଁ ବାହାରକୁ ଯିବାକୁ ହେଲେ ସେମାନଙ୍କୁ  ୧  କିଲୋମିଟର ମାଟି କାଦୁଅ ରାସ୍ତାଦେଇ ଯିବାକୁ ପଡିଥାଏ।ଅନ୍ୟପଟେ ଯଦି କାହାର ଦେହ ଅସୁସ୍ଥ ହେଲା କି ପ୍ରସୂତି ସମୟରେ ଏହି ଗାଁ କୁ ଆମ୍ବୁଲାନ୍ସ କି ଅନ୍ୟ ଗାଡି ଯାଇ ପାରୁନଥିବାରୁ ସେଠାକାର ଲୋକମାନେ ରୋଗୀ ମାନଙ୍କୁ କାନ୍ଧରେ,

ଦୋଳା ମାଧ୍ୟମରେ ନଚେତ ଖଟିଆରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୁହାଇବାକୁ ପଡିଥାଏ ବୋଲି ଉକ୍ତ ଗ୍ରାମର ଜନସାଧାରଣ ଓ ବରିଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି।ଆସନ୍ତା ଦିନରେ ଯଦି ତାରପୁର ଶବର ସାହି କୁ ପକା ରାସ୍ତା ନିର୍ମାଣ କରାନଯାଏ ତେବେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହିତ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି  ଗୌରୀ ଦେହୁରୀ, କୁମୁଦ ମାଝୀ, ରମଣୀ ଦେହୁରୀ, ଲିଲି ଦେହୁରୀ, କନକ ମାଝୀ, କୁନିରାଣୀ ମାଝୀ, ରମିନା ମାଝୀ,ଗଜେନ୍ଦ୍ର ନାଏକ, ପୀତବାସ ମାଝୀ, ବଟକୃଷ୍ଣ ଦେହୁରୀ, ଅନୀଲ ମାଝୀ ଙ୍କ ସମେତ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।କେନ୍ଦ୍ର ହେଉ କି ରାଜ୍ୟ ସରକାର ଗରିବ, ଅସହାୟ,ଦିନମଜୁରିଆ ମାନଙ୍କୁ ସମସ୍ତ ସୁବିଧା ଓ ସହଯୋଗ ଯୋଗାଇଦେବା ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ କଟକରୁ ମାତ୍ର ୩୫ ଓ

ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର  ୪୦ ନିକଟରେ ଅବସ୍ଥିତ ବାଙ୍କୀ ନିର୍ବାଚନୀ ମଣ୍ଡଳୀ ରେ ଆଜିକା ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବାରୁ ରାଜ୍ୟ ସରକାର ଙ୍କ ମୋ ସରକାର ଓ ୫ଟି ର କାର୍ଯ୍ୟ କୁ ଜନସଧାରଣ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ସହ ବାଙ୍କୀର ବହୁ ବୁଦ୍ଧିଜୀବୀ ଓ ଜନସଧାରଣ ଘୋର ନିନ୍ଦା କରିଛନ୍ତି।ତେବେ ଦେଖିବାକୁ ରହିଲା ଖବର ପ୍ରକାଶ ହେବାପରେ କେବେ ଦୃଷ୍ଟି ପଡିବ ସରକାରଙ୍କର କିମ୍ବା ପ୍ରଶାସନିକ ଅଧିକାରୀ ଙ୍କର ଉକ୍ତ ଗାଁ କୁ ପକା ରାସ୍ତା ନିର୍ମାଣ କରିବାର।ଏଥିପ୍ରତି କଟକ ଜିଲ୍ଲାପାଳ କିମ୍ବା କଟକ ପ୍ରକଳ୍ପ ନିର୍ଦେଶ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତାରପୁର ଶବର ସହିକୁ ପକା ରାସ୍ତା ନିର୍ମାଣ କରାଇବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଫୋନ ନେଟୱାର୍କ ବାହାରେ ଥିଲା।ଏଥିସହ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ୫ ଥର ଫୋନ ର ରିଙ୍ଗ ହୋଇଥିଲା ସେ ଫୋନ ଉଠେଇ ନଥିଲେ ।  (ରିପୋର୍ଟ ଗୌତମ ମିଶ୍ର )

Exit mobile version