ନୟାଗଡ଼ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଅଧିବେଶନ : ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର ) ନୟାଗଡ଼ :–  ଆଜି ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତୃହରି ମହତାବ , ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଡା. ପୋମା ଟୁଡୁ, ଜିଲ୍ଲାପାଳ ନୟାଗଡ଼, ଶ୍ରୀ ସୁବାସ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ଜିଲ୍ଲା ପରିଷଦକୁ ପ୍ରାପ୍ତ ହୋଇଥିବା ପଂଚଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ଅନୁଦାନ ଓ ପଂଚମ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ବିନିଯୋଗ ନିମନ୍ତେ ପ୍ରକଳ୍ପ ତାଲିକା ନିର୍ଦ୍ଧାରଣ ନିମନ୍ତେ ଏହି ବୈଠକ ଡକାଯାଇଥିଲା । ପଂଚଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ଅନୁଦାନକୁ କିଭଳି ଭାବରେ ବ୍ୟୟ କରାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିମଳ ମିଶନ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପାନୀୟ ଜଳ ପରିମଳ ବାବଦରେ ବ୍ୟୟ କରାଯିବ ।

ଶତକଡ଼ା ୪୦ ଅନୁଦାନକୁ ବିନିଯୋଗ କରିବା ପାଇଁ ଜିଲ୍ଲା ପରିଷଦର ସଭ୍ୟ/ ସଭ୍ୟାମାନେ ବିଭିନ୍ନ ପ୍ରକଳ୍ପର ତାଲିକା ପ୍ରଦାନ କରିଥିଲେ ଏବଂ ସର୍ବସମ୍ମତିକ୍ରମେ ଏହା ଅନୁମୋଦନ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କରାଗଲା । ମାନ୍ୟବର ସାଂସଦ କଟକ ଶ୍ରୀ ମହତାବ କହିଲେ ଯେ ୧୫ଦିନ ପରେ ଏକ ବୈଠକ ଡକାଯାଇ ଜିଲ୍ଲା ପରିଷଦର ଅନ୍ୟାନ୍ୟ କାର୍ଯ୍ୟ ଉପରେ ଆଲୋଚନା କରାଯିବ । ପରିଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ା (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version