ଦୀର୍ଘ ୪୮ବର୍ଷ ହେଲା ମା’ଚର୍ଚ୍ଚିକା ପୀଠକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ, ଏ ସଂପର୍କରେ ପ୍ରଦେଶ ଯୁବ କଂଗ୍ରେସ ସଭାପତିଙ୍କର ବାଙ୍କୀ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର)ବାଙ୍କୀ :- ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠ ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୧୯୭୩ମସିହାରେ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଛି । କିନ୍ତୁ ଦୁଃଖର ବିଷୟ ମନ୍ଦିରର ସୌନ୍ଦର୍ଯ୍ୟ କରଣ, ପରମଳ ବ୍ୟବସ୍ଥା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ମା’ଙ୍କ ବହୁ ଜମି ଜବର ଦଖଲକାରୀଙ୍କ କବ୍‌ଜାରେ ଥିବା ବେଳେ ଜମିମାଫିଆଙ୍କ ରାଜୁତି ଧିରେ ଧିରେ ପ୍ରଭାବ ବିସ୍ତାର କଲାଣି । ମନ୍ଦିରକୁ ପାନୀୟ ଜଳର ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବା ବେଳେ ଲୋକ ଦେଖାଣିଆ ଭାବେ ଏକ ଅଚଳ ପାଣି ଟାଙ୍କି ଉଦ୍‌ଘାଟନ କରି କାର୍ଯ୍ୟକ୍ଷମ ନହେବା ଦୁର୍ଭାଗ୍ୟଜନକ । ଏ ସଂପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ନିରବ ଦ୍ରଷ୍ଟା ସାଜିଛି । ଦୀର୍ଘ ଦିନ ଧରି ପାର୍କିଂ ଓ ଆଲୋକି କରଣ ବ୍ୟବସ୍ଥା ନଥିବାରୁ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ମହିଳା ଯାତ୍ରୀମାନଙ୍କ ପାଇଁ ଶୌଚାଳୟ

ନଥିବାରୁ ସେମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଦୀର୍ଘ ବର୍ଷ ଧରି ବାଖ୍ୟାନ କେନ୍ଦ୍ରଟି ନିର୍ମାଣ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠ ପର୍ଯ୍ୟଟନ କେନ୍ଦ୍ର ଘୋଷଣା ଏକ ପ୍ରହସନରେ ପରିଣତ ହୋଇଛି । କରୋନା ମହାମାରୀ ଯୋଗୁ ମା’ଚର୍ଚ୍ଚିକାଙ୍କ ପୀଠର ସେବକମାନଙ୍କ ଆର୍ଥକ ମେରୁଦଣ୍ଡ ଦୋହୋଲାଇ ଦେଇଛି । ଏ ସଂପର୍କରେ ଗଭୀର ଭାବେ ଚିନ୍ତା କରାଯାଇ ଏମାନଙ୍କ ପାଇଁ ଆର୍ଥିକ ସହଯୋଗର ବ୍ୟବସ୍ଥା କରାଯିବା ସହିତ ଚର୍ଚ୍ଚିକାଙ୍କ ପୀଠର ଉନ୍ନତି ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତିରଞ୍ଜନ ଲେଙ୍କା ଓ ବାଙ୍କୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ଆଇନଜୀବୀ ଶିବବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବଙ୍କ

ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ବାଙ୍କୀ ବ୍ଲକ ଯୁବ କଂଗ୍ରେସ ସଭାପତି ବିଭୂତି ଭୂଷଣ ଦଳରାୟ ,କଟକ ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଶିଲ କୁମାର ବିଶ୍ୱାଳ , ଆଇନଜୀବୀ ଜିତେନ କୁମାର ପଣ୍ଡା, ଭବାନୀ ପ୍ରସାଦ ଧଳସାମନ୍ତ, ବିଭୂ ପ୍ରସାଦ ନାୟକ, ପ୍ରମୋଦ ପଣ୍ଡା, ସୂର୍ଯ୍ୟକାନ୍ତ ସ୍ୱାଇଁ, ବିକାଶ ମହାପାତ୍ର, କୁଳମଣୀ ରଣା, ରାଧାମୋହନ ସାହୁ ପ୍ରଭୃତି ଉପସ୍ଥିତ ଥିଲେ । ଏହାପରେ ଡ.ଲେଙ୍କା ବାଙ୍କୀ ବ୍ଲକ ବିଡିଓ ପ୍ରଦୀପ କୁମାର ଶତପଥୀଙ୍କୁ ସାକ୍ଷାତ କରି ବ୍ଲକର ଜନସାଧାରଣଙ୍କୁ ବାସଗୃହ, ରେସନକାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଓ ସରକାରଙ୍କ ଅନ୍ୟାନ୍ୟ ସାହାଯ୍ୟ ସୁବିଧାରେ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।     ରିପୋର୍ଟ ଗୌତମ ମିଶ୍ର।

Exit mobile version