ମୌସୁମୀର ଲୁଚକାଳି ଖେଳ : ଚାଷୀଙ୍କ ପାଇଁ କାଳ ଆଷାଢରେ ଜମି ଫାଟି ଆଁ : ଧାନ ତଳି ନଷ୍ଟ ଆଶଙ୍କା

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ହିଞ୍ଜିଳିକାଟୁ :-  ପବିତ୍ର ଅକ୍ଷୟ ତୃତୀୟା ପରରୁ ଚାଷୀ ନିଜର ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛି । ପାଣିପାଗ ବିଭାଗର ସୂଚନା ପ୍ରକାରେ ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଛି । ମେସୁମୀ ପ୍ରବେଶ ପରେ ଚାଷୀ ବର୍ଷକର ଭାତହାଣ୍ଡିକୁ ସଜାଡ଼ିବା ପାଇଁ ତରତର ହୋଇ ଚାଷ ଜମିରେ ଧାନ ତଳି ବୁଣା କାର୍ଯ୍ୟ ଶେଷ କରିଦେଇଛି । ମାତ୍ର ବର୍ଷା ହେବାର ସମ୍ଭାବନା ତିଳେ ମାତ୍ର ନଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆକାଶରେ କଳାହାଣ୍ଡିଆ ମେଘ ଆସୁଥିଲେ ମଧ୍ୟ ବର୍ଷା ଟୋପାଏ ହେଉନାହିଁ । ଆଷାଢ ମାସରେ ଟୋପାଏ ବର୍ଷା ଜଳ ଧରଣୀରେ ପଡ଼ିବା ତ ଦୂରର କଥା ପ୍ରଚଣ୍ଡ ରୌଦ୍ରତାପରେ ଚାଷ ଜମି ଫାଟି ଆଁ କରିବାକୁ ବସିଲାଣି । ଖାଲ ଓ ମଧ୍ୟମ ଧରଣର ଜମି ବ୍ୟତିତ ଅବଶିଷ୍ଟ ଜମିରେ ଧାନ ବୁଣା ସକାଶେ ପ୍ରତିକୂଳ ପାଗ ବାଧକ ସାଜିଛି ।

ହିଂଜିଳିକାଟୁ କୃଷି ବିଭାଗ ବ୍ଳକ କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଚଳିତ ବର୍ଷ ସ୍ଥାନୀୟ ବ୍ଳକରେ ୯ ହଜାର ୬ଶହ ୯୦ ହେକ୍ଟର ଚାଷ ଜମିରେ ବିଭିନ୍ନ କିସମର ଧାନ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୮ଶହ ୫୧ ହେକ୍ଟର ଉଚ୍ଚ ଜମି, ୧ହଜାର ୯ଶହ ୭୭ହେକ୍ଟର ମଧ୍ୟମ ଜମି ଓ ୬ ହଜାର୮ ଶହ୬୨ ହେକ୍ଟର ଖାଲୁଆ ଜମିରେ ଧାନ ଚାଷ ହେବ ବୋଲି ଆକଳନ କରିଛି କୃଷି ବିଭାଗ । ସ୍ଥାନୀୟ କୃଷି ବିଭାଗର ନିର୍ଦ୍ଦେଶ ପ୍ରକାରେ ୨୧ ଟି ସମବାୟ ସମିତି ମଧ୍ୟରୁ ସମରଝୋଳ, ଗଣ୍ଡଳା, ବେଲଗାଁ, ବଡ଼ଖଣ୍ଡି, ଦୁର୍ବନ୍ଧ, ଭାବନ୍ଦ, ଚାନ୍ଦୁଲି, କଂଚୁରୁ, ମକରଝୋଳ, ନିମିଗାଁ, ସିକିରି ଓ ସାରୁ ସମବାୟ ସମିତି ସମେତ ଓଡ଼ିଶା ରାଜ୍ୟ ବିହନ ନିଗମରୁ ସ୍ୱିକୃତିପ୍ରାପ୍ତ ୯ଟି ଘରୋଇ କେନ୍ଦ୍ର ମଧ୍ୟରୁ ୮ଟି କେନ୍ଦ୍ର ପୂଜା, ୧୦୦୧, ଆର୍ଜିଲ, ମସୁରୀ ଭଳି ବିଭିନ୍ନ କିସମର ବିହନ ଉଠାଇ ପ୍ରାୟ ୨୦୩୨ କୁଇଂଟାଲ ବିହନ ବିକ୍ରି କରିଥିବା ସୂଚନା ମିଳିଛି ।

ମୌସୁମୀର ଆଗମନ ଦେଖି ଚାଷୀର ଛାତି କୁଣ୍ଢେମୋଟ ହୋଇ ଯାଇଥିଲା । ଚାଷ ଜମିରେ ଧାନ ବୁଣିବା ସହିତ ଧାନତଳି ପକାଇ ଖରିଫ ଚାଷ କାର୍ଯ୍ୟ କରିଥିଲେ । ଜୁନ ଶେଷ ସପ୍ତାହ ସୁଦ୍ଧା ମୌସୁମୀର ଲୁଚକାଳି ଖେଳ ଚାଲିଥିବାରୁ ସ୍ଥାନୀୟ ଅଂଚଳର ଚାଷୀଙ୍କ ପାଇଁ କାଳ ସାଜିଛି । ଜୁନ ମାସରେ ଆବଶ୍ୟକ ବର୍ଷା ନହେବା ଫଳରେ ଜମି ଫାଟି ଆଁ କରିବାକୁ ବସିଲାଣି । ରୋପଣ କରାଯାଇଥିବା ଧାନତଳି ପୋଡ଼ିଯାଇ ନଷ୍ଟ ହେବାକୁ ବସିଲାଣି । ଜଳସମ୍ପଦ ବିଭାଗ ପକ୍ଷରୁ କେନାଳ କାମ ଚାଲିଥିବା ବେଳେ ଚାଷ ଜମିକୁ ବର୍ତମାନ ସୁଦ୍ଧା ଜଳ ସେଚନ କରାଯାଇ ପାରିନାହିଁ । ଆଗକୁ ଯଦି ଭଲ ବର୍ଷା ନହୁଏ ତେବେ ଚଳିତ ବର୍ଷର ଖରିଫ ଚାଷ କାମ ପଛେଇବା ସୁନିଶ୍ଚିତ ହୋଇପଡ଼ିବ । ଏଭଳି ସ୍ଥିତିରେ ଚାଷୀଙ୍କୁ ପୁଣିଥରେ ଦ୍ୱିତୀୟ ଥର ଧାନବୁଣା କାମ କରିବାକୁ ପଡ଼ିପାରେ ବୋଲି ଆକଳନ କରାଯାଇଛି । ଆସନ୍ତା ସପ୍ତାହେ ମଧ୍ୟରେ ବର୍ଷା ନହେଲେ ଅଣଜଳ ସେଚିତ ଜମିରେ ଧାନତଳି ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଅଂଚଳର ବହୁ ଚାଷୀ କହିଛନ୍ତି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version