କରୋନା ବିପତି ସମୟରେ ଅସହାୟଙ୍କୁ ଏକତା ପରିଷଦ ପକ୍ଷରୁ ସହାୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) କୋରାଇ :- କରୋନା ମହାମାରୀର ମହାବିତି ସମୟରେ ଜାତୀୟ ଏକତା ପରିଷଦ ଜନ ସଂଗଠନର ପକ୍ଷରୁ କୋରାଇର ବିଭିନ୍ନ ଅଂଚଳରେ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ଲୋକଙ୍କୁ ଶୁଖିଲା ଖାଦ୍ୟ, ଛତୁଆ ଆଦି ପୁଷ୍ଟିକର ଖାଦା ସହ ଔଷଧ ଓ ତୁଣ୍ଡି ବଂଟନ କରାଯାଇଥିଲା । ଏକତା ପରିଷଦ ପକ୍ଷରୁ ସାରାଭାରତର ବିଭିନ୍ନ ରାଜ୍ୟ ସହ ଓଡିଶାର ୧୦ଟି ଜିଲା ମଧ୍ୟରୁ ଯାଜପୁର ଜିଲାରେ ମଧ୍ୟ ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷିରେ କୋରାଇ ବ୍ଲକର ଖମଣ, ତଣ୍ଡରା, ଜହ୍ନା, ବଡ଼ବିରୁଆଁ, ବରୁଣ୍ଡେଇ, ଗୋଳେଇପୁର ଆଦି ପଂଚାୟତରେ ନିରାଶ୍ରୟ,

ଦିନ ମଜରୁଆ ଓ ଅସହାୟଙ୍କୁ ଏକତା ପରିଷଦର ଜିଲା ସଂଯୋଜକ ଅକ୍ଷୟ କୁମାର ଜେନାଙ୍କ ତତ୍ୱାବଧନାରେ ପୁଷ୍ଟିକର ଖାଦ୍ୟ ସହ ଔଷଧ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକତା ପରିଷଦର ରାଜ୍ୟସଂଯୋଜକ ବିଜୟ ପ୍ରଧାନଙ୍କ ସହ ପ୍ରସନ୍ନ ସ୍ୱାଇଁ, ସୌଦାମିନୀ ସାହୁ, ଶାନ୍ତିଲତା ସ୍ୱାଇଁ, ସବିତା ସାହୁ, ପିତାମ୍ବର ବେହେରା, ଅଭିନ୍ନ ମଲ୍ଲିକ, ପରିକ୍ଷୀତ ରାଉତ, ସୂର୍ଯ୍ୟମଣି ମଲ୍ଲିକ, ସତ୍ୟଜିତ ମଲ୍ଲିକଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଯୁବକ ସହଯୋଗ କରିଥିଲେ । ଖମଣ ଓ ତଣ୍ଡରା ପଂଚାୟତରେ ଅସହାୟ ମହିଳା ଓ କୁନିକୁନି ପିଲାଙ୍କୁ ଛତୁଆ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ୫ଶହରୁ ଅଧିକ ଲୋକଙ୍କୁ ସହାୟତା ପ୍ରଦାନ କରାଯିବାର ଯୋଜନା ରହିଥିବା ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି ।  ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ ) 

Exit mobile version