କିଛି ହାତଗଣତି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାର) ନୂଆଦିଲ୍ଲୀ :- କିଛି ହାତଗଣତି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସଂସଦର ଆଗାମୀ ମୌସୁମୀ ଅଧିବେଶନ କାଳରେ ସଂଶୋଧନ ବିଲ୍‍ ଆସିବା ସମ୍ଭାବନା ରହିଛି । ଏକ ସୂତ୍ର ଅନୁଯାୟୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଏଥିପାଇଁ ନିତି ଆୟୋଗ ପକ୍ଷରୁ ମନୋନୀତ କରାଯାଇଛି । ସେଥିପାଇଁ କେନ୍ଦ୍ର ସରକାର ସଂସଦରେ ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ ଏବଂ ବ୍ୟାଙ୍କିଙ୍ଗ ନିୟମ ଆଇନରେ ସଂଶୋଧନ ଆଣିବା ସମ୍ଭାବନା ରହିଛି । ବ୍ୟାଙ୍କ ଅଫ ମହାରାଷ୍ଟ୍ର ନାମ ମଧ୍ୟ ନିତି ଆୟୋଗକୁ ଏଥିପାଇଁ ପଠାଯାଇଥିବା ଅନୁମାନ କରାଯାଉଛି ।

ବ୍ୟାଙ୍କଗୁଡିକର ନାମ ଚୂଡାନ୍ତ ହେବାପରେ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ ସମ୍ମୁଖରେ ଉପସ୍ଥାପନ କରାଯିବ । ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁନିଅନଗୁଡିକ ବିରୋଧ କରିଛନ୍ତି । ସେମାନେ ଏହାଦ୍ୱାରା ଚାକିରି ଓ ପେନସନ ହରାଇବା ଆଶଙ୍କା ପ୍ରକାଶ କରିବା ସହିତ ଏହା ବିରୁଦ୍ଧରେ ଅନିର୍ଦ୍ଦଷ୍ଟ କାଳପାଇଁ ଧର୍ମଘଟର ଧମକ ଦେଇଛନ୍ତି । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ କର୍ମଚାରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖାଯିବ ।

Exit mobile version