ବାଲିଗୁଡା : ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ – ଥାନାରେ ଏତଲା

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ବାଲିଗୁଡ଼ା :- ନାବାଳକ ଙ୍କୁ ଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କ.ନୂଆଗାଁ ବ୍ଲକ୍‌ ଚାଞ୍ଚେଡ଼ି ପଞ୍ଚାୟତରେ । ସୂଚନା ପ୍ରକାରେ କେରଳରୁ ଏକ ବସ୍‌ ଆସି ରାଇକିଆ, କ.ନୂଆଗାଁ, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଆଦି ଅଞ୍ଚଳରୁ ଦାଦନ ଶ୍ରମିକ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଚାଞ୍ଚେଡ଼ି ଗ୍ରାମ ପଞ୍ଚାୟତର ସଲାଙ୍ଗିଆ ନିକଟରେ କମ୍‌ ବୟସର ପିଲାମାନଙ୍କୁ ଦାଦନ ଖଟାଇବାକୁ ନେଉଥିବା ନେଇ ଚାଞ୍ଚେଡ଼ି ସରପଞ୍ଚ ରାଜକିଶୋର ପ୍ରଧାନ ଅଭିଯୋଗ କରିବାରୁ କୌଶଳକ୍ରମେ ଚାଞ୍ଚେଡ଼ି ସରପଞ୍ଚ ରାଜକିଶୋର ପ୍ରଧାନଙ୍କୁ ଗାଡ଼ିଭିତରେ ଭର୍ତ୍ତି କରି ମାଡ଼ ମାରିଲେ କେରଳ ବସ୍‌ କର୍ମଚାରୀ ।

ସାତ କିଲୋମିଟର ଯିବାପରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ବସ୍‌ କର୍ମଚାରୀଙ୍କ କବଳରୁ ଉଦ୍ଧାର ହୋଇ ସାରଙ୍ଗଡ଼ ଥାନାରେ ଅଭିଯୋଗ କରିଛନ୍ତି ସରପଞ୍ଚ ରାଜକିଶୋର । ଏନେଇ ସାରଙ୍ଗଡ଼ ଥାନା କେସ୍‌ ନଂ ୫୧/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ବସ୍‌ ସମେତ ତିନିଜଣ ବସ୍‌ କର୍ମଚାରୀଙ୍କୁ ଥାନାରେ ଅଟକ ଅଧିକ ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ମହାମାରୀ କରୋନା ସାରା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବାହାର ରାଜ୍ୟକୁ ଯିବାକୁ ବାରଣ ମଧ୍ୟ କରାଯାଉଛି ।

ଏଥିସହିତ କମ୍‌ ବୟସର ପିଲାମାନଙ୍କୁ ଟଙ୍କାର ଲୋଭ ଦେଖାଇ ଦାଦନ ଖଟାଇବାକୁ ନେଉଛନ୍ତି ଅନେକ ଲୋକ । ହେଲେ ପରବର୍ତ୍ତୀ ସମୟରେ କିଏତ ଟଙ୍କା ପାଉନି,କିଏତ ଖାଦ୍ୟ ପାଉନି, ଏମିତିକି ବିଭିନ୍ନ ସମୟରେ ମାଲିକମାନଙ୍କ ଆକ୍ରୋଶର ଶିକାର ହୋଇ ପ୍ରାଣ ମଧ୍ୟ ଅନେକ ଲୋକଙ୍କ ଯାଇଥିବା ନଜିର ରହିଛି । ଏଣୁ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କହିଛନ୍ତି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)

Exit mobile version