ସହରର ଏକ ଡକାୟତି ଘଟଣାରେ ଛଅ ଗିରଫ, ମାରଣାସ୍ତ୍ର ସହ ଲୁଟ୍ ସାମଗ୍ରୀ ଉଦ୍ଧାର, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍‌ ଶନିବାର ) ଢେଙ୍କାନାଳ :- ଗତ ତା ୧୦/୦୬/୨୦୨୧ ରିଖ ଗୁରୁବାର ରାତ୍ର ୮ଟା ୪୦ମି ସମୟରେ ତିନି ଜଣ ଯୁବକ ମୁଁହରେ ଗାମୁଛା ଘୋଡେଇ, ହାତରେ ଭୁଜାଲି, ଛୁରୀ ଆଦି ମାରଣାସ୍ତ୍ର ଧରି କଣ୍ଟାନାଳି ବାଇପାସ୍ (ଏନ୍ ଏଚ୍-୫୫ନଂ ଜାତୀୟ ରାଜପଥ ନିକଟସ୍ଥ) ଜଣଙ୍କ ଘରେ ଅତର୍କିତ ଭାବରେ ପଶି ଉକ୍ତ ପରିବାରର ସଦସ୍ୟଙ୍କୁ ଭୟଭୀତ କରାଇ ତାଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ସହିତ ସୁନା ଅଳଙ୍କାର ତଥା ସୁନା ଚେନ୍,କାନ ପେଣ୍ଡି,ମୁଦି, ରୂପା ଅଳଂକାର ଲୁଟ୍ କରି ନେଇଯାଇଥିଲେ ।

ଏହି ଅଭିଯୋଗକୁ ଭିତ୍ତି କରି ଟାଉନ୍ ପୋଲିସ ଦ୍ବାରା କେସ୍ ନଂ ୨୩୬ ରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ଆଧାରରେ ଟାଉନ୍ ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଦୁଇ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲେ ଓ ତାଙ୍କ ନିକଟରୁ ମାରଣାସ୍ତ୍ର ସହିତ ଚୋରି ସାମଗ୍ରୀ ଜବତ କରାଯାଇଛି ।

ଏହାଛଡା ଅପରାଧୀଙ୍କ ଠାରୁ ଚୋରି ସାମଗ୍ରୀ ଗ୍ରହଣ କରିଥିବା ଅଭିଯୋଗରେ ଆଉ ଚାରି ଜଣଙ୍କୁ ଗିରଫ କରାଯାଇଅଛି । ଏହି ସମସ୍ତ ଛଅ ଜଣ ଅପରାଧୀ ଢେଙ୍କାନାଳ ଟାଉନ୍ ର ବାସିନ୍ଦା ଅଟନ୍ତି।ସମସ୍ତ ଅପରାଧୀଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଟାଉନ୍ ଥାନା ପକ୍ଷରୁ ସୂଚନା ଦିଆଯାଇଛି । (ରିପୋର୍ଟ୍, ଅମର ରଞ୍ଜନ ଦାସ)  ଢେଙ୍କାନାଳ।

Exit mobile version