ବାପାମା ଛେଉଣ୍ଡ ଜ୍ୟୋତ୍ସ୍ନାଙ୍କୁ ସହଯୋଗର ହାତ ବଢାଇଲେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ ସଭାପତି

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଖମ୍ବପଡା ଗ୍ରାମର ୧୫ ବର୍ଷିୟ ବାପମା ଛେଉଣ୍ଡ ଜ୍ୟୋତ୍ସ୍ନା ପୁଝାରୀଙ୍କ ପାଖରେ ପହଞ୍ଚି ତାଙ୍କୁ ସମବେଦନା ଜଣାଇଛନ୍ତି ବାବୁଲି ମଣ୍ଡଳଙ୍କ ଟିମ୍। ଅସହାୟ ଜ୍ୟୋତ୍ସ୍ନାଙ୍କ ସମ୍ପର୍କରେ ଜାଣିବାପରେ କଳାହାଣ୍ଡି ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳ ତୁରନ୍ତ ତାଙ୍କ ନର୍ଲା ଟିମକୁ ଖମ୍ବପଡା ପଠାଇଥିଲେ। ଆଜି ବାବୁଲି ମଣ୍ଡଳଙ୍କ ଦଳରୁ ଦିଲ୍ଲୀପ ନାଏକ, ବନବିହାରୀ ଭୋଇ ଓ ଦୀପକ ମହାନ୍ତି ଜ୍ୟୋତ୍ସ୍ନାଙ୍କୁ ସାକ୍ଷାତ କରି କିଛି ଆର୍ଥିକ ସହଯୋଗ ଯୋଗାଇବା ସହ ପ୍ରଶାସନ ଓ ଜରୁରୀ ଲୋକଙ୍କ ସହ କଥା ହେବାପାଇଁ ଏକ ମୋବାଇଲ

ସେଟ ପ୍ରଦାନ କରିଛନ୍ତି। ଆଗକୁ ଏହି ଛାତ୍ରୀଙ୍କ ପ୍ରତି ସହଯୋଗ ରହିବ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ବାବୁଲି ମଣ୍ଡଳ। ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକ କର୍ମେ ଗାଁ ପଞ୍ଚାୟତ ଅଧିନସ୍ଥ ଖମ୍ବପଡା ଗ୍ରାମର ଜୟ ଶଙ୍କର ପୁଝାରୀ ୨୦୨୦ ମସିହା ନଭେମ୍ବର ୨୦ରେ କରୋନାରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ସୁମିତ୍ରା ଓ ଝିଅ ଜ୍ୟୋତ୍ସ୍ନା କର୍ମକୁ ଆଦରି ରହିଥିଲେ। ତେବେ ଗତ ୭ ତାରିଖ ଦିନ ସୁମିତ୍ରା ମଧ୍ୟ ଆରପାରିକୁ ଚାଲିଗଲେ। ବର୍ତ୍ତମାନ ଜ୍ୟୋତ୍ସ୍ନା ଦଶମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ସେ ତାଙ୍କ ବଡବାପା ମଧୁ ପୂଜାରୀଙ୍କ ପାଖରେ ରହୁଛନ୍ତି। ଜ୍ୟୋତ୍ସ୍ନାଙ୍କ ବାପା ଜଣେ ଗରିବ ଶ୍ରେଣୀୟ ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version