ଶୀତଳଷଷ୍ଠୀ ଯାତ୍ରା ଉଦଯାପିିତ : ବିବାହ ବନ୍ଧନରେ ଦେବ ଦମ୍ପତି

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାର ) ହିଞ୍ଜିଳିକାଟୁ :- ହିଂଜିଳିକାଟୁରେ ଦୁଇଦିନ ଧରି ଚାଲିଥିବା ଶୀତଳଷଷ୍ଠୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି । ଯାତ୍ରା ଉପଲକ୍ଷେ ସ୍ଥାନୀୟ ସହର ଉତ୍ସବ ମୁଖର ହୋଇପଡ଼ିଛି । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଦେବ ଦମ୍ପତି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ବରପିତା ଭାବେ ରାମଚନ୍ଦ୍ର ପାଠି ଓ କନ୍ୟାପିତା ଭାବେ ପ୍ରମୋଦ କୁମାର ଗନ୍ତାୟତ ଥିଲେ । ମଙ୍ଗଳବାର ପରମ୍ପରା ଅନୁସାରେ ମା’ ପାର୍ବତୀଙ୍କୁ ବରଣ କରିବା ସକାଶେ ସୁସଜ୍ଜିତ ରଥରେ କନ୍ୟା ପିତାଙ୍କ ଘରକୁ ଯାଇଥିଲେ ବରପିତା । ଲକଡ଼ାଉନ ସମୟରେ ପ୍ରଶାସନର କଟକଣାକୁ ପରାମର୍ଶ ଅନୁସାରେ ନିରାଡ଼ମ୍ବର ସହକାରେ କ଼ନ୍ୟାପିତା ଘରେ ପଂହଚିବା ପରେ କନ୍ୟା ବରଣ ଲୁଗା ଓ କଳସକୁ ମହିଳା ମାନେ ବନ୍ଦାପନା କରି ଘର ମଧ୍ୟକୁ ପାଛୋଟି ନେଇଥିଲେ । ବରଯାତ୍ରୀଙ୍କ ପକ୍ଷରୁ କନ୍ୟାବରଣ କାର୍ଯ୍ୟକ୍ରମ ସରିଥିଲା । କନ୍ୟା ଘର ପକ୍ଷରୁ ରଖାଯାଇଥିବା ଆସବାବ ପତ୍ର ଯଥା ଲୁଗାପଟା, ଧାନ ଚାଉଳ, ମୁଗ, ବିରି ଓ କଂସାବାସନକୁ ବରପକ୍ଷ ଦେଖିଥିଲେ ।

କନ୍ୟାପିତା ପ୍ରମୋଦ କୁମାର ଗନ୍ତାୟତ ଓ ପତ୍ନି ଶୌଳବାଳା ଗନ୍ତାୟତଙ୍କ ସମେତ ସପରିବାର ଏବଂ ବନ୍ଧୁକୁଟୁମ୍ବ ଉପସ୍ଥିତ ରହି ବରଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ସମସ୍ତ ଯୌତୁକ ସାମଗ୍ରୀ ସହ ବରକନ୍ୟାକୁ ମନ୍ଦିର ପରିସରକୁ ନିଆଯାଇ ବିବାହ ସମ୍ପାଦନା କରାଯାଇଥିଲା । ବନ୍ଦାପନା ଓ ହୁଳହୁଳିରେ ମନ୍ଦିର ପରିସର କମ୍ପି ଉଠିଥିଲା । ବୁଧବାର ରାତିରେ ଦେବ ଦମ୍ପତିଙ୍କୁ ବିଭିନ୍ନ ବାଦ୍ୟବାଜଣା, ଘଂଟ, ମହୁରି, ତୂରୀର ତାଳେ ତାଳେ ଶୋଭାଯାତ୍ରାରେ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା । କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ରଂଜନ କୁମାର ସାହୁ, ପବିତ୍ର ନାୟକ, ସନାତନ ନାହାକ. ଦିନବନ୍ଧୁ ବେହେରା, ପ୍ରସନ୍ନ ନାହାକ, ନବୀନ ସେନାପତି, ସନ୍ତୋଷ ପ୍ରଧାନ, ଚନ୍ଦ୍ରଶେଖର ସାହୁ, ପ୍ରତାପ କୁମାର ସାହୁ, ଭୀମସେନ ସାହୁ, ଗୋପାଳକୃଷ୍ଣ ପଟ୍ଟନାୟକ, ଶଙ୍କର ବାସୁଦେବ ବେହେରା, ସିମାଂଚଳ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ହିଂଜିଳି ସ୍ଥିତ ସ୍ୱପ୍ନେଶ୍ୱର, ଆଙ୍କୋରଡ଼ା ସ୍ଥିତ କପିଳେଶ୍ୱର, ନୂଅର୍ାଗଡ଼ ସ୍ଥିତ ବାଲୁଙ୍କେଶ୍ୱର, ବଇଁଚବଣିଆ ପାୱନ ଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶି ବିଶ୍ୱନାଥ, ହିଂଜିଳିକାଟୁ ବ୍ଳକ ଚାନ୍ଦୁଲି ସ୍ଥିତ ବେଲେଶ୍ୱର, ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର, ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ବେଲଗାଁର ବେଲେଶ୍ୱର ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଅବସ୍ଥାପିତ ବିଭିନ୍ନ ଶୈବପୀଠ ଗୁଡ଼ିକରେ ନିରାଡ଼ମ୍ବର ସହକାରେ ଶୀତଳ ଷଷ୍ଠୀ ଯାତ୍ରା ଓ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।   ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version