ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ ନୟାଗଡ଼ ଜିଲ୍ଳାପାଳ ଡା. ପୋମା ଟୁଡୁ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ନୟାଗଡ :- ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ନୟାଗଡ଼ ତଥା ରାଜ୍ୟ ଓ ଦେଶର ଏକ ଅପୂରଣୀୟ କ୍ଷତି ଘଟିଛି । ବିଶିଷ୍ଟ ପରିବେଶବିତ୍ , ସ୍ତମ୍ଭକାର ଓ ସମାଜସେବୀ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣିପାଟଣା ଗ୍ରାମରେ ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ଗାଁ ବିଦ୍ୟାଳୟରେ ଶିକ୍ଷା ଲାଭ କରି ପୁରୀର ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରି ହାସଲ କରି ଅର୍ଥନୀତିରେ ଅଧ୍ୟାପକ ଜୀବନ ଆରମ୍ଭ କରିଥିଲେ । ପ୍ରଫେସର ରାଧାମୋହନ ଚାକିରୀ ଜୀବନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଶିକ୍ଷାକ୍ଷେତ୍ରର କମିଟୀ ଓ ପଦପଦବୀରେ ରହିଥିଲେ ।

ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ମଧ୍ୟ ରହିଥିଲେ । ଅବସର ପରେ ସେ ରାଜ୍ୟ ସୂଚନା କମିଶନ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ । ସେ ସମ୍ଭବ ନାମରେ ଏକ ଅନୁଷ୍ଠାନ ୧୯୮୯ମସିହାରେ ନୟାଗଡ଼ ଓଡ଼ଗାଁ ବ୍ଲକର ରୋହିବାଙ୍କ ଅଂଚଳରେ ପ୍ରତିଷ୍ଠା କରିଥିଲେ । ଏକ ଅନୁର୍ବର ଟାଙ୍ଗରା ଜମିକୁ ସେ ଶସ୍ୟଶାମଳା କରିପାରିଥିଲେ । ଏହି ଜମିରେ ପ୍ରାୟ ୫୦୦ପ୍ରକାର ଦେଶୀ ଧାନ ଉତ୍ପାଦନ କରିପାରିଥିଲେ । ପ୍ରକୃତି ଓ ପରିବେଶକୁ ଭଲପାଇ ପ୍ରଫେସର ରାଧାମୋହନ ଜୈବିକ କୃଷି କ୍ଷେତ୍ରରେ ବିପ୍ଲବ ଆଣିଥିଲେ ।

ଜଣେ ମଣିଷ ଭାବରେ ଅଧ୍ୟାପନାରୁ ଚାଷ ପର୍ଯ୍ୟନ୍ତ ସେ ସଂପୃକ୍ତ ଥିଲେ । ତାଙ୍କ ଝିଅ ସାବରମତୀଙ୍କ ସହିତ ୨୦୨୦ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ପ୍ରଫେସର ରାଧାମୋହନ ସଫଳତାର ଶୀର୍ଷ ଛୁଇଁଥିଲେ ମଧ୍ୟ ଜନ୍ମମାଟିକୁ ଭୁଲି ନ ଥିଲେ । ଏହିଭଳି ଜଣେ ଜୈବିକ କୃଷିର ପ୍ରମୁଖ ଉଦ୍ୟୋକ୍ତା, ବିଶିଷ୍ଟ ପରିବେଶବିତ୍‌, ଗାନ୍ଧୀବାଦୀ, ଶିକ୍ଷାବିତ୍ ଓ ସମାଜ ସଂସ୍କାରକଙ୍କ ବିୟୋଗରେ ବିଶେଷକରି ନୟାଗଡ଼ ଜିଲ୍ଲାର ଏକ ଅପୂରଣୀୟ କ୍ଷତି ଘଟିଛି । ସେହି ମହାନ୍ ଆତ୍ମାଙ୍କ ଉଦ୍ଦେଶ୍ୟରେ ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାଂଜଳୀ ଅର୍ପଣ କରୁଅଛି । (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version