ଗଜପତି ଏକ ବ୍ୟକ୍ତି ନୁହଁନ୍ତି, ଏକ ପୀଠ ସମାଲୋଚନାକୁ ବିଶିଷ୍ଟ ବ୍ୟକ୍ତିଙ୍କ ନିନ୍ଦା, ଆଇନର ଆଶ୍ରୟ ନିଆଯିବ

ଗଜପତି ଏକ ବ୍ୟକ୍ତି ନୁହଁନ୍ତି, ଏକ ପୀଠ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ୍ , ବୁଧବାର ) ଭୁବନେଶ୍ୱର :- ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ପୁରୀ ଜଣେ ବ୍ୟକ୍ତି ନୁହଁନ୍ତି, ଗଜପତି ଏକ ପୀଠ ବୋଲି ବିଶିଷ୍ଟ ସନ୍ଥ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ହିନ୍ଦୁରାଷ୍ଟ୍ର ସଂଘର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ ଏକ ମିିଳିତ ବିବୃତ୍ତିରେ କହିଛନ୍ତି ।

ବିବୃତ୍ତିଦାତାମାନେ ଆହୁରି କହିଛନ୍ତି ଯେ, ଗଜପତିଙ୍କ କାର୍ଯ୍ୟଧାରା ଉପରେ ଅନଭିଜ୍ଞ ବ୍ୟକ୍ତିମାନେ ଏଭଳି ଆଲେଖ୍ୟ ଦ୍ୱାରା କେବଳ ଯେ ଗଜପତିଙ୍କୁ ନିନ୍ଦିତ କରୁଛନ୍ତି ତାହା ନୁହେଁ, ଉତ୍କଳର ସର୍ବମାନ୍ୟ ସେବକ ତଥା ଓଡ଼ିଆ ସଂସ୍କୃତିକୁ ପରୋକ୍ଷରେ ସେମାନେ ଆଘାତ କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ । ଆମେ ଏଭଳି ଆଲେଖ୍ୟକୁ ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ଦୃଢ ଭାବେ ନିନ୍ଦା କରୁଛୁ ।

ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ସେବା ପାଇଁ ଗଜପତି ମହାରାଜା କୌଣସି ପାରିଶ୍ରମିକ ପାଇନଥାନ୍ତି । ଏକଥା ସମସ୍ତେ ଜାଣିବା ଉଚିତ୍ ଯେ, ରାଜ୍ୟ ସରକାରଙ୍କୁ, ଶ୍ରୀମନ୍ଦିର ହସ୍ତାନ୍ତର ସମୟର ଚୁକ୍ତି ଅନୁଯାୟୀ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ, ଗଜପତି ମହାରାଜା ସାମାନ୍ୟ ଭତ୍ତା ପାଇଥାନ୍ତି । ବର୍ତ୍ତମାନ ଭତ୍ତାର ପରିମାଣକୁ ଯଦି ବିଚାରକୁ ନେବେ, ତାହା ଅତ୍ୟନ୍ତ ନଗଣ୍ୟ, ତିରିଶ ହଜାର ଟଙ୍କା ମାତ୍ର ।

ସମାଜରେ ଥିବା କିଛି ଦୁଷ୍ଟ ବ୍ରଣମାଛି ମାନଙ୍କ ଦ୍ୱାରା ଏଭଳି ଲେଖା ପରିବେଶକୁ ନଷ୍ଟ କରିବାର ଯଥେଷ୍ଟ ନଜିର ରହିଛି । ଏଣୁ ସମ୍ପୃକ୍ତ ଖବର କାଗଜର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଯଦି ୭ ଦିନ ମଧ୍ୟରେ ସର୍ବସାଧାରଣରେ ଏଭଳି ଅରୁଚିକର ଲେଖା ପ୍ରକାଶନ ପାଇଁ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ଆଇନ ଅଦାଲତର ଆଶ୍ରୟ ନିଆଯିବ ବୋଲି ବିବୃତ୍ତିଦାତାମାନେ ଦୃଢ ଭାବେ କହିଛନ୍ତି ।  (ରିପୋର୍ଟ :ଗୌତମ ମିଶ୍ର)

Exit mobile version