ବିପଦ ସଂକୁଳ ଅବସ୍ଥାରେ ମୁଖ୍ୟ ରାସ୍ତାକଡରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁନ ସୋମବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଂଚାୟତସ୍ଥିତ ଅରପୁର ଗ୍ରାମର ମୁଖ୍ୟ ରାସ୍ତାକଡରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବର୍ଷ ବର୍ଷ ଧରି ମୁକୁଳା ପଡିଛି । ଅରପୁର ଗ୍ରାମବାସୀ ବହୁଥର ଜାତମୁଣ୍ଡିଆ ଠାରେ ଥିବା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚତୁଃ ପାଶ୍ୱର୍ରେ ତାରବାଡ ନଥିବାରୁ ଚାରିପଟେ ଅନାବନା ତୃଣ ଜାତୀୟ ଗଛ ହୋଇ ଜଙ୍ଗଲ ସୃଷ୍ଟି ହୋଇଛି ।

ଯାହା ଫଳରେ ଗାଈ ଗୋରୁ , ଛେଳି ମେଣ୍ଢା ସେଠାକୁ ଅବାଧ ପ୍ରବେଶ କରି ବିଦ୍ୟୁତ୍ କରେଣ୍ଟ୍‌ରେ ଆଘାତ ପାଇ ମୃତ୍ୟୁ ବରଣ କରୁଥିବା ଜଣାପଡିଛି । ଏପରିକି ୨ଚକିଆ ଓ ୪ଚକିଆ ଯାନ ଦୁର୍ଘଟଣା ଘଟି ଟ୍ରାନ୍ସଫର୍ମରେ ପିଟି ହୋଇ ଆହତ ହେବାର ଦୃଷ୍ଟାନ୍ତ ରହିଛି । ବିଦ୍ୟୁତ୍ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ତାହାର ଚତୁଃ ପାଶ୍ୱର୍କୁ ସିମେଣ୍ଟ୍ ଖୁଣ୍ଟ ସହ ତାରବାଡ କରିବାକୁ ଅରପୁର ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି ।

ଏ ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବଳଙ୍କୁ ପଚାରିବାରେ ସେ କହିଲେ ଯେ ଏ ସଂପର୍କରେ ସେମାନେ ଅବଗତ ଅଛନ୍ତି । ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ମୁତାବକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ମୁକୁଳା ପଡିଥିବା ଟ୍ରାନ୍ସଫର୍ମରକୁ ଯଥା ଶୀଘ୍ର ଆବଦ୍ଧ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ନିରଞ୍ଜନ ବରାଳ ପ୍ରକାଶ କରିଛନ୍ତି । (ରିପୋର୍ଟ:ଗୌତମ ମିଶ୍ର)

Exit mobile version