ଟିକା ନେବେ କି..? ମୋର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିହ୍ନା ଅଛି

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ଭୁବନେଶ୍ୱର/ଚନ୍ଦ୍ରଶେଖରପୁର :-  ଯେବେ ଟିକା ନେବେ କହିଲେ ମୁଁ କଥା ହୋଇଯିବି । ଅନଲାଇନ୍‌ରେ କୌଣସି ସ୍ଲଟ୍‌ ବୁକିଂ କରିବା ଦରକାର ନାହିଁ । ଅଫ୍‌ଲାଇନ୍‌ କୁପନ୍‌ ଆପଣଙ୍କୁ ମିଳିଯିବ । ଏହା ବାବଦକୁ ଯାହା କିଛି ଟଙ୍କା ଦେବାକୁ ପଡିବ । ଏମିତି ଭାବେ ଟିକା କୁପନ୍‌ ଦେବାର ଲୋଭ ଦେଖାଇ ଦୁଇ ଜଣ ଯୁବକଙ୍କଠୁ ୨ ହଜାର ଟଙ୍କା ଠକି ନେଇଛନ୍ତି ଦଲାଲ । ଏମିତି ଘଟଣା ଘଟିଛି ଇନଫୋସିଟି ଥାନା ନନ୍ଦନ ବିହାର ଅଞ୍ଚଳରେ । ଏନେଇ ଦୁଇ ଯୁବକ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ପ୍ରଶାନ୍ତ ମହାଳି ଏବଂ ସୁଶାନ୍ତ ମହାଳି ଶନିବାର ସକାଳେ ଘର ପାଖରେ ମର୍ଣ୍ଣିୱାକ କରୁଥିବା ସମୟରେ ଜଣେ ଦଲାଲ ସହିତ ଭେଟ ହୋଇଥିଲା । କଥା ପଡୁପଡୁ ଦଲାଲ ଜଣଙ୍କ କହିଥିଲା ଟିକା କୁପନ୍‌ କଥା ମୁଁ ବୁଝୁଛି । ଯଦି ୧୮ ବର୍ଷରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ କେହି ଟିକା ନେଇନାହାନ୍ତି, ମୋତେ କହିବେ କୁପନ୍‌ ଆଣି ଦେବି । ପ୍ରଶାନ୍ତ ଏବଂ ସୁଶାନ୍ତ କହିଥିଲେ ଆମେ ପ୍ରଥମ ଡୋଜ୍‌ ଟିକା ଏଯାଏ ନେଇ ନାହୁଁ । ଆମକୁ ଅନଲାଇନରେ ସ୍ଲଟ୍‌ ମିଳୁନି । ଆମ ପାଇଁ ଦୁଇଟା କୁପନ୍‌ ଆଣି ଦିଅ ।

ଦଲାଲ ଜଣଙ୍କ କହିଥିଲା ହଁ ହେଇଯିବ, ହେଲେ ଯିଏ ମୋତେ କୁପନ୍‌ ଆଣିକି ଦେଉଛି ସେ ଜଣ ପିଛା ହଜାରେ ଲେଖାଏଁ ନେଉଛି । ତୁମେ ଟଙ୍କା ପଠାଇ ଦେଲେ ମୁଁ ଆଜି ସନ୍ଧ୍ୟା ୫ଟା ବେଳକୁ ଦୁଇଟା କୁପନ୍‌ ଆଣି ଦେବି । ଦୁଇ ଯୁବକ ରାଜିହୋଇ ଦଲାଲ ନମ୍ବର ନେଇ ଅନଲାଇନ୍‌ ଜରିଆରେ ୨ ହଜାର ଟଙ୍କା ପଠାଇଥିଲେ । ସନ୍ଧ୍ୟା ବେଳେ କୁପନ୍‌ ପାଇବାକୁ ଫୋନ୍‌ କରିବାରୁ ଦଲାଲର ନମ୍ବର ସୁଇଚ୍‌ଡ ଅଫ୍‌ ଆସିଥିଲା । ଦୁଇ ଘଣ୍ଟା ପରେ ବି ଯୋଗାଯୋଗ ହୋଇପାରି ନଥିଲା । ଫଳରେ ଠକେଇର ଶିକାର ହୋଇଥିବା ଜାଣି ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ।  

Exit mobile version