ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତାରେ ଗତ ୩ବର୍ଷ ହେଲା ନିର୍ମାଣ ଚାଲିଛି : ସ୍ବରେଜ୍‌ ଲାଇନ୍‌ କାମ ଖୁବ୍‌ ମନ୍ଥର ଗତିରେ ହେଉଛି – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ଭୁବନେଶ୍ୱର :- ଲକ୍ଷ୍ମୀସାଗର,ମାତ୍ର ଦୁଇ କିଲୋମିଟର ଦୈର୍ଘ୍ୟର ସ୍ବେରେଜ୍‌ ଲାଇନ୍‌ରାସ୍ତ‌ାକୁ ଖୋଳି ପକାଇ ଦିଆ ଯାଇଥିବାରୁ ଖାଲଖମାରେ ଲୋକେ ପଡ଼ି ଉଠି ହନ୍ତସନ୍ତ ହୋଇ ଯା’ଆସ କରୁଛନ୍ତି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ସୂଚନାନୁସାରେ ବିଏମ୍‌ସି ୪୩ନମ୍ବର ୱାର୍ଡ ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତାରେ ଚାଲିଥିବା ସ୍ବରେଜ୍‌ ଲାଇନ୍‌ କାମ ଖୁବ୍‌ ମନ୍ଥର ଗତିରେ ହେଉଛି। ୮ଦିନ କାମ ହେଲେ ମାସ ମାସ ଧରି ବନ୍ଦ ରହୁଛି ।

ତେଣୁ ମାତ୍ର ୨କି‌ଲୋମିଟର ସ୍ବେରେଜ୍‌ ଲାଇନ୍ ନିର୍ମାଣ ପାଇଁ ତିନି ବର୍ଷ ଲାଗିଗଲାଣି। ଏଣେ ରାସ୍ତାକୁ ଖୋଳି ପକାଇ ରଖି ଥିବାରୁ ଲକ୍ଷ୍ମୀସାଗର, ଝାରପଡ଼ା, କେଶୁରା, କୋରଡ଼କଣ୍ଟା ଜଗନ୍ନାଥ ନଗର, ବ୍ୟାଙ୍କ କଲୋନି ଆଦି ଅଞ୍ଚଳର ଲୋକମାନେ ଗତ ୩ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି । ଭୂତଳ ଲାଇନ୍‌ କାମ ସରିଯାଇଛି, ଅଥଚ ରାସ୍ତାରୁ ମାଟି ବାହାର କରାଯାଉ ନାହିଁ କି ପିଚୁ ପକାଯାଉନାହିଁ। ଫଳରେ ଖରା ଦିନରେ ଧୂଳି ଉଡ଼ୁଥିବା ବେଳେ ବର୍ଷା ଦିନରେ କାଦୁଆ ପଙ୍କ ବଡ଼ ହୀନସ୍ତା କରୁଛି ।

ବିଶେଷକରି ରାତିରେ ମ୍ୟାନ୍‌ହୋଲ୍‌ଗୁଡ଼ିକରେ ପିଟି ହୋଇ ଗାଡ଼ି ଚାଳକମାନେ ଖଣ୍ଡିଆଖାବରା ହେଉଛନ୍ତି । ମ୍ୟାନ୍‌ହୋଲ୍‌ ଉପରେ ଥିବା ସ୍ଲାବ୍‌ ସବୁ ରାସ୍ତାଠରୁ ଉପରକୁ ରହିଛି। ବର୍ଷା ବେଳେ ପାଣି ଜମିବା ଯୋଗୁଁ ସେଗୁଡ଼ିକ ଦେଖା ଯାଉନାହିଁ । ଫଳରେ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରବଳ ଧୂଳି ଉଡ଼ୁଥିବାରୁ ରାସ୍ତାକଡ଼ ବାସିନ୍ଦାମାନେ କବାଟ ଝରକା ଖୋଲି ପାରୁନାହାନ୍ତି । ଏହି ରାସ୍ତାକଡ଼ରେ ଥିବା ଶହ ଶହ ଦୋକାନୀ ୩ବର୍ଷ ହେଲା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଲେଣି । ସ୍ଥାନୀୟ ବାସିନ୍ଦା ଦୀନନାଥ ଦାସଙ୍କ କହିବାନୁସାରେ, ରାସ୍ତାର ଏହି ଅବସ୍ଥା ପାଇଁ ଆମ୍ବୁଲାନ୍ସଟିଏ ଆସିପାରୁନି । ତେଣୁ ତୁରନ୍ତ କାମ ସାରିବାକୁ ସେ ଦାବି କରିଛନ୍ତି । ଏନେଇ ୱାଟ୍‌କୋର ନିର୍ବାହୀ ଯନ୍ତ୍ରୀ ଭରତଚନ୍ଦ୍ର ଦଳାଇ କହିଛନ୍ତି ଯେ ଏହି ଦୁଇ ତିନି ଦିନ ଭିତରେ ଖରା ପାଗ ଦେଖି ପିଚୁ ପକେଇବା କାମ ଆରମ୍ଭ ହୋଇଯିବ । 

Exit mobile version