ଜଗତବାସୀଙ୍କୁ କରୋନାରୁ ମୁକ୍ତ ପାଇଁ ପୂଣ୍ୟ ତୀର୍ଥ ମହେନ୍ଦ୍ରଗିରିରେ ପରିକ୍ରମା ସମାପିତ

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାରଳାଖେମୁଣ୍ଡି :- ଜଗତବାସୀଙ୍କୁ କରୋନା କବଳରୁ ମୁକ୍ତପାଇଁ ଚଳିତ ବର୍ଷ ଗଜପତିର ପୁଣ୍ୟତୀର୍ଥ ମହେନ୍ଦ୍ରଗିରିରେ ପାରମ୍ପାରିକ ପରିକ୍ରମା ଗତକାଲି ସମାପିତ ହୋଇଛି । ଗତ ଦୀର୍ଘ ଦଶବର୍ଷ ପୂର୍ବରୁ ମହେନ୍ଦ୍ର ଆଶ୍ରମର ସାଧୁ, ସନ୍ଥ ଋଷିପୁତ୍ର, ଋଷିକନ୍ୟା ଓ ଭକ୍ତମାନେ ଏକତ୍ରିତ ହୋଇ ପୂଣ୍ୟତୀର୍ଥ ମହେନ୍ଦ୍ରଗିରିରେ ଜଗତବାସୀଙ୍କ ହିତ ପାଇଁ ପରିକ୍ରମା ଅନୁଷ୍ଠିତ ହୋଇ ଆସୁଅଛି । ଚଳିତବର୍ଷ ମଧ୍ୟ ପାରମ୍ପାରିକ ରୀତିରେ ଏହି ପରିକ୍ରମା ପାଳନ କରାଯାଇଛି । ଶ୍ରୀ କ୍ଷେତ୍ର ଭଉଁରୀ ଯାତ୍ରା ସମୟରେ ଏହି ପରିକ୍ରମା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ପ୍ରତି ବର୍ଷ ମହେନ୍ଦ୍ରଶ୍ୱରଙ୍କ ରଥ ସହ ସଙ୍କୀର୍ତନ ମଣ୍ଡଳୀ ଏବଂ ବହୁ ସାଧୁ ସନ୍ଥ ଓ ଶତାଧିକ ଭକ୍ତ ମାନଙ୍କୁ ନେଇ ମହେନ୍ଦ୍ରଗିରିର ଚତୁପାଶ୍ୱର୍ରେ ଥିବା ପବିତ୍ର ପୀଠମାନଙ୍କରେ ପୂଜାର୍ଚ୍ଚନା କରିବା ସହ ନାମ ଯଜ୍ଞ, ଜ୍ଞାନଯଜ୍ଞ ଓ ଅନ୍ନଯଜ୍ଞ କରାଯାଇଥାଏ ।

ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହାର ବିଧାନ ପାଳନ କରିବା ପାଇଁ ବୈଷାଖ ମାସ କୃଷ୍ଣପକ୍ଷ ନବମୀ ତିଥି ଜୁନ ମାସ ୩ ତାରିଖ ଗୁରୁବାର ଦିନ ମହେନ୍ଦ୍ର ଆଶ୍ରମର ମୁଖ୍ୟ ୫ଜଣ କାର୍ଯ୍ୟ କର୍ତ୍ତା ମହେନ୍ଦ୍ରଗିରି ପରିକ୍ରମା କରିଥିଲେ । କଇଁପୁର ଠାରେ ପ୍ରତିଷ୍ଠିତ ମହାବିନାୟକ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଭୀମପୁର ସାତଭଉଣୀ ପୀଠ, କଇଁପୁର ମହାବିନାୟକ ପୀଠ ଆଦିରେ ଯାତ୍ରା କରି ଏହି ପରିକ୍ରମା ସମାପ୍ତି ହୋଇଥିଲା । ମହେନ୍ଦ୍ର ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଭାଷ୍କରତୀର୍ଥ, ବିଜୟ କୁମାର ରାଉତ, ମହେନ୍ଦ୍ର କୁମାର ବେହେରା, ବିଜୟ କୁମାର ବେହେରା, କୃଷ୍ଣଚନ୍ଦ୍ର ଗୌଡ ଏହି ପରିକ୍ରମାରେ ଭାଗ ନେଇଥିଲେ । କରୋନା ମହାମାରୀରୁ ଜଗତକୁ ରକ୍ଷା କରିବା ପାଇବାପାଇଁ ମହେନ୍ଦ୍ରଗିରିର ସମସ୍ତ ଦେବ ଦେବୀ ମାନଙ୍କ ଉଦ୍ଦେଶ୍ୟରେ ପରିକ୍ରମା ବେଳେ ପୀଠମାନଙ୍କରେ ପୂଜାର୍ଚ୍ଚନା କରାଯାଇଥିଲା ।   ( ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ )

Exit mobile version