ପାଟପୁର ଗ୍ରାମର ୩ ଅନାଥ ଶିଶୁଙ୍କୁ ଭେଟିଲେ ଜିଲ୍ଲାପାଳ, ସହାୟତା ରାଶି ପ୍ରଦାନ କରିବା ସହ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦେଲେ ପ୍ରତିଶୃତି

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ସାନଖେମୁଣ୍ଡି :- ସାନଖେମୁଣ୍ଡି ବ୍ଲକ୍ ପାଟପୁର ଗ୍ରାମର ୩ ଅନାଥ ଶିଶୁଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସ୍ଵର୍ଗତ ଜି.ଉପେନ୍ଦ୍ର ରେଡ୍ଡୀଙ୍କ ୩ ଅନାଥ ପିଲାଙ୍କ ପାଠପଢା, ରହିବା ଖାଇବା ପିଇବା ବିଷୟରେ ପଚାରି ବୁଝିଛନ୍ତି। ଏହା ସହ ସେମାନଙ୍କର ଅନଲାଇନ୍ ପାଠ ପଢା ସକାଶେ ନୋଟ ପ୍ୟାଡ୍ ସହ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ସହ ସେମାନଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ। ୩ ଶିଶୁଙ୍କୁ ଅନାଥ କରିଦେଲା ଦଇବ। ବାପା ମାଆଙ୍କ ମୃତ୍ୟୁ ପରେ ଏବେ ବେସାହାରା ୩ ଭାଇ-ଭଉଣୀ। ସାନଖେମୁଣ୍ଡି ବ୍ଲକ୍ ପାଟପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଦୃଶ୍ୟ। ପାଟପୁର ଗ୍ରାମର ଜି.ଉପେନ୍ଦ୍ର ରେଡ୍ଡୀଙ୍କ ୫ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ଗତ ସପ୍ତାହରେ ରକ୍ତହୀନତା ରୋଗରେ ତାଙ୍କ ପତ୍ନୀ ଜି.ସବିତା ରେଡ୍ଡୀଙ୍କ ମୃତ୍ୟୁ ଘଟିଛି ।

ଫଳରେ ଝିଅ ଜି.ସୋନାଲି ରେଡ୍ଡୀ (୧୪), ପୁଅ ଜି.ଜଗାବଳିଆ ରେଡ୍ଡୀ(୭) ଏବଂ ଜି.ଭାବିନି ରେଡ୍ଡୀ (୬) ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି । ଫଳରେ ସେମାନଙ୍କ ଭଭିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏନେଇ ପ୍ରମେୟରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ତେବେ ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ପାଟପୁର ଗାଁକୁ ଯାଇ ତିନି ଛୁଆଙ୍କୁ ଭେଟିଛନ୍ତି। ପିଲାଙ୍କ ପାଠପଢା ପାଇଁ ନୋଟ୍ ପ୍ୟାଡ୍ ଦିଆଯିବ। ଏହା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା, ରେଡ୍ କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା, ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ୧୫ ହଜାର ଟଙ୍କା ଦିଆଯାଇଛି। ଏହି ୩ ଶିଶୁଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଏହି ସମୟରେ ସାନଖେମୁଣ୍ଡି ତହସିଲଦାର, ବିଡିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଆରସିସି, କିଛି ଶିକ୍ଷକ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଅନାଥ ଶିଶୁଙ୍କୁ ସହାୟତା ହାତ ବଢ଼ାଇ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି ।
( ରିପୋର୍ଟ: ଶେଷଦେବ ସାହୁ )

Exit mobile version