ହୁ ହୁ ହୋଇ ବଢୁଛି ତୈଳ ଦର ମାସକରେ ଡ଼ିଜେଲ ୫ ଓ ପେଟ୍ରୋଲ ୪ ଟଙ୍କା ବୃଦ୍ଧି

ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ହିଞ୍ଜିଳିକାଟୁ :- ଗତ ଗୋଟାଏ ମାସର ବ୍ୟବଧାନ ମଧ୍ୟରେ ହିଞ୍ଜିଳିକାଟୁ ସହରରେ ତୈଳ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ମାସଟିଏ ମଧ୍ୟରେ ଡ଼ିଜେଲ ଦର ଲିଟର ପିଛା ୫ଟଙ୍କା ୨୫ ପଇସା ଓ ପେଟ୍ରୋଲ ଦର ୪ଟଙ୍କା ୨୯ ପଇସା ବୃଦ୍ଧି ପାଇଛି । ମଇ ମାସ ପହିଲାରେ ପେଟ୍ରୋଲ ଦର୯୨ ଟଙ୍କା ୩୫ ପଇସା ଥିବା ବେଳେ କ୍ରମାଗତ ଭାବେ ଦର ବୃଦ୍ଧି ଘଟି ବୁଧବାର ସୁଦ୍ଧା ୯୬ ଟଙ୍କା ୬୪ ପଇସା ରହିଛି । ସେହିପରି ଡ଼ିଜେଲ ଦର ଲିଟର ପିଛା ମଇ ମାସ ପହିଲାରେ ୮୯ ଟଙ୍କା ୧୬ ପଇସା ଥିବା ବେଳେ କ୍ରମାଗତ ଭାବେ ଦର ବୃଦ୍ଧି ଘଟି ବୁଧବାର ସୁଦ୍ଧା ୯୪ ଟଙ୍କା ୪୧ ପଇସା ରହିଛି । ଏହିଭଳି କ୍ରମାଗତ ଭାବେ ସଂପୃକ୍ତ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଘଟି ଚାଲିଲେ ମଇ ମାସ ଶେଷ ସୁଦ୍ଧା ଲିଟର ପିଛା ଦର ସେଂଚୁରୀ ଟପିବ ବୋଲି ଆଶଙ୍କା ଦେଖାଦେଇଛି । ଅନୁରୁପ ଭାବେ ପାୱାର ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ୬୪ ପଇସା ରହିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ଜନସାଧାରଣଙ୍କ ଆର୍ଥୀକ ସ୍ଥ୍‌ିତି ସମ୍ପୁର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ତୈଳ ଦର ବୃଦ୍ଧି ବେଶ ବାଧୁଛି । ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ । ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲିମୟମ ସାମଗ୍ରୀର ଦର କ୍ରମଶଃ ବୃଦ୍ଧି ପାଇଆସୁଛି । ତୈଳ ଦର ବୃଦ୍ଧିକୁ କେନ୍ଦ୍ର କରି ବିରୋଧୀ ରାଜନୈତିକ ଦଳ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହାରକୁ ଗୁରୁତ୍ୱ ଦେଉନାହାନ୍ତି ।

ଚଳିତ ମାର୍ଚ୍ଚ ମାସ ପ୍ରଥମସପ୍ତାହ ପର୍ଯ୍ୟନ୍ତ ସାରା ଦେଶରେ ପେଟ୍ରୋଲିୟମ ସାମଗ୍ରୀର ଦର ବୃଦ୍ଧି ଜାରି ରହିଥିଲା । ସେହି ସମୟରେ ସ୍ଥାନୀୟ ସହରରେ ପେଟ୍ରୋଲ ଦର ୯୩ ଟଙ୍କା ୧୩ ପଇସା ଓ ଡ଼ିଜେଲ ଦର ୮୯ ଟଙ୍କା ୯୮ ପଇସା ରହିଥିଲା । ଏହାପରେ ୫ଟି ରାଜ୍ୟରେ ନିର୍ବାଚନ ସକାଶେ ପେଟ୍ରୋଲିୟମ ସାମଗ୍ରୀର ଦର ବୃଦ୍ଧିରେ ବ୍ରେକ୍ ଲାଗିଥିଲା । ଏବଂ ଦର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ମଇ ମାସେ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପୁଣିଥରେ ପେଟ୍ରୋଲିୟମ ସାମଗ୍ରୀର ଦର ହୁ ହୁ ହୋଇ ବୃଦ୍ଧି ପାଇ ଆସୁଛି । କୋଭିଡ଼-୧୯ର ସିଧା ପ୍ରଭାବ ବଜାର ଉପରେ ପଡ଼ିଥିବା ବେଳେ ଏହା ପ୍ରଭାବରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଅନୁରୁପ ଭାବେ ବଢିବାରେ ଲାଗିଛି । ଯଦ୍ୱାରା ମଧ୍ୟବିତ୍ ଓ ସାଧାରଣ ପରିବାରବର୍ଗଙ୍କ ସକାଶେ ପରିବାର ପ୍ରତିପୋଷଣ କରିବା ଭାରି ବାଧୁଛି । ଏଭଳି ପରିସ୍ଥିତିରେ ପେଟ୍ରୋଲିୟମ ସାମଗ୍ରୀର ଦର ବୃଦ୍ଧି ପୁଣି ସମସ୍ତ ସାମଗ୍ରୀକୁ ଅଧିକ ମହଙ୍ଗା କରାିବାରେ ସହାୟକ ହେବ । ସାଧାରଣ ଜନତାଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲିୟମ ସାମଗ୍ରୀର ଦର ନିୟନ୍ତ୍ରଣ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ।   (ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version