ପଞ୍ଚାୟତରେ କୋଭିଡ ସଚେତନତା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :-  କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ହୋଇଛି।ସବୁଠାରେ ଘନଉଛି ଭୀଷଣ ସଂକ୍ରମଣ।ସଂକ୍ରମଣର ତୀବ୍ରତା ବେଶ କିଛି ଦିନ ଧରି ବୃଦ୍ଧି ପାଉଛି।କିଛି ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ କିଛି ସଂକ୍ରମିତଙ୍କ ପ୍ରାଣହାନୀ ଘଟିଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର ଦୁଃଖଦ ବାତାବରଣ।ପରିସ୍ଥିତି ଏପରି ହୋଇଛି ଯେ ସାମାଜିକ ଵିଦ୍ଧି ବ୍ୟବସ୍ଥା ଓ ଜୀବନ ଜୀବିକା ପ୍ରଭାବିତ ହୋଇ ବିପର୍ଯ୍ୟସ୍ତ ଆଡକୁ ମୁହାଁଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କରୋନା ସହର ଛାଡି ଏବେ ଗାଁ ମୁଁହା ହୋଇଛି।ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ମୁସ୍କିଲ ହୋଇଛି। ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି । କରୋନାକୁ ମାତ ଦେବା ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ବିବାହ କାର୍ଯ୍ୟ ସକାଶେ ସର୍ବାଧିକ ୨୫ ଓ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ ପାଇଁ ସର୍ବାଧିକ ୨୦ ଜଣଙ୍କୁ ନେଇ ଆୟୋଜନ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ଆଣିବା ପାଇଁ ପରାମର୍ଶ ଦିଆଯାଇଛି।ଗତକାଲି ଜିଲ୍ଲାରେ କୋଭିଡର ସୁପରିଚାଳନା ସମ୍ପର୍କରେ ବିଭିନ୍ନ ପଦାଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ନେଇ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସୂଚନା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ବୁଧବାର ବିଡ଼ିଓ ସୁବ୍ରତ କୁମାର ଜେନା ହିଞ୍ଜିଳି ବ୍ଳକ ପୁଟିଆପଦର ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ କରୋନା ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ସରପଞ୍ଚ,ସଭ୍ୟ ଓ କୋଭିଡ ମନିଟରଙ୍କୁ ନେଇ ପଞ୍ଚାୟତରେ କରୋନାର ସ୍ଥିତି ଓ ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରିତା ଉପରେ ଅବଗତ କରାଇଥିଲେ।ଏଥିସହିତ ଦୁର୍ବଳବର୍ଗଙ୍କ ଆର୍ଥିକ ସ୍ଥିତି ପାଇଁ ଉଦ୍ଦିଷ୍ଟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଥିଲେ।ଆଲୋଚନା ବେଳେ ସରପଞ୍ଚ ମାଧୁରୀ ପାଣିଗ୍ରାହୀ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,ସଭ୍ୟ ଭୀମ ନାୟକ,ପ୍ରଧାନ ଶିକ୍ଷକ ଉଲ୍ଲାସ ବେହେରା,କନିଷ୍ଠ ଯନ୍ତ୍ରୀ ଇନ୍ଦିରା ଗୌଡ଼,ପିଇଓ ବିଜୟ କୁମାର ସେଠୀ,ଜିଆରଏସ ଶ୍ରୀକାନ୍ତ ପଣ୍ଡା,ୱାର୍ଡ ସଭ୍ୟ,ଶିକ୍ଷକ ଶିକ୍ଷୟିତ୍ରୀ,କୋଭିଡ ମନିଟର,ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।   ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version