କୋଭିଡ କଟକଣାକୁ ଉଲଘଂନ କରି ବିବାହ ଭୋଜି : ପ୍ରଶାସନର ଚଢ଼ାଉ ୫ ହଜାର ଟଙ୍କା ଜରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର )ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ରୁପ ନେଇ ହାହାକାର ମଧ୍ୟରେ ଜନ ଜୀବନ ଅସ୍ତଵ୍ୟସ୍ତ ହୋଇପଡିଛି । ସଂକ୍ରମଣର ତୀବ୍ରତା ବେଶ କିଛି ଦିନ ଧରି ବୃଦ୍ଧି ପାଉଛି।କିଛି ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ କିଛି ସଂକ୍ରମିତଙ୍କ ମୁଣ୍ଡ ଗଡ଼ିଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟର ବାତାଵରଣ। କରୋନାକୁ ମାତ ଦେବା ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି । ଆଜିର ନୂଆ ନିୟମାନୁସାରେ ବିବାହ କାର୍ଯ୍ୟ ସକାଶେ ସର୍ବାଧିକ ୨୫ ଓ ଶୁଦ୍ଧି କ୍ରିୟା ଆୟୋଜନ ପାଇଁ ସର୍ବାଧିକ ୨୦ ଜଣଙ୍କୁ ନେଇ ଆୟୋଜନ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ଆଣିବା ପାଇଁ ପରାମର୍ଶ ଦିଆଯାଇଛି ।

ଭୋଜି ଭାତ ବନ୍ଦ ସହ ଖାଦ୍ୟ ପୁଡିଆ ଦେଇପାରିବ ଓ ସମୁହ ମିଳି ମିଶି ଖାଇବା ମନା । ହିଞ୍ଜିଳି ଥାନା ଗିରିଆ ଗ୍ରାମରେ କୋଭିଡ ନିୟମକୁ ଉଲ୍ଲଂଘନ କରି ରବିବାର ଦିନରେ ବିବାହ ଭୋଜି ଆୟୋଜନ କରାଯାଇଥିଲା । ଖବର ପାଇ ହିଞ୍ଜିଳି ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଭୋଜି ବନ୍ଦ କରିଥିଲେ। କୋଭିଡ ନିୟମକୁ ଉଲ୍ଲଂଘନ କରି ବିବାହ ଭୋଜି ଆୟୋଜନ କରିଥିବାରୁ ଆୟୋଜନକାରୀ ସଂପୃକ୍ତ ଗ୍ରାମର ପଦ୍ମ ଦଳାଇଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଚଢ଼ାଉରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ସୁବ୍ରତ କୁମାର ଜେନା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଥାନା ଏସଆଇ ବାସୁଦେବ ଭୋଇ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ଓ ପୁଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।    ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version