ଏକ ବଉଳ ଗଛ ର କାହାଣୀ…

ଓଡ଼ିଶା ତାଜା ନ୍ୟୁଜ (୩୦ ମଇ ରବିବାର ) ଭୁବନେଶ୍ୱର :- ଏଇ ଯେଉଁ ଘଞ୍ଚ ବଉଳ ଗଛ ଆଜି ଆମ ପାଚେରୀ କଡରେ ଠିଆ ହୋଇଛି ଏ ହେଉଛି ଏକ ମୁକ ସାଖୀ। ପ୍ରାୟ ୧୫ ରୁ ୧୬ ବର୍ଷ ତଳେ ମୁଁ ଭୁବନେଶ୍ୱର କଚେରୀ ରୁ ଫେରିବା ବେଳେ ସେହି ହତାରେ ସାଇକେଲରେ ଚାରା ବିକୁ ଥିବା ଲୋକଟି ଠାରୁ ୫ଟଙ୍କା ଦେଇ ଏକ ବଉଳ ଚାରା ଆଣି ଥିଲି ।  ସେତେବେଳେ ଆମ ଛୋଟ ବାଡ଼ିରେ ଅନେକ ଗଛ ହେଇ ଯାଇଥିଲା କିନ୍ତୁ ବୁଦ୍ଧେଶ୍ୱରୀ କଲୋନୀ ସ୍ଥିତ ଆମ ଘର ଗଳିଟି ଗୋଟେ ଲଣ୍ଡା ଗଳିଥିଲା । ତେଣୁ ଭାବିଲି ଏଇ ଗଛଟି ଆମ ପାଚେରୀ ପାଖରେ ଲଗେଇଲେ ବହୁ ବିଧ ଉପକାର ହେବ । ମୋର ମା ଆରତୀ ଶାସ୍ତ୍ରୀ ଙ୍କ ହାତ ଲଗା ଗଛ ଖୁବ ବଢେ ତେଣୁ ମୋ ମା କୁ କହିଲି ଏହି ଗଛଟି ତୁ ଲଗେଇ ଦେ ଏବଂ ଗଛ ଲାଗିଲା ।  ତାର ସୁରକ୍ଷା ପାଇଁ ଏକ ତାର ଜାଲି ତିଆରି ହେଲା ଏବଂ ତା ପରେ ମୋର ବାବା ସ୍ୱର୍ଗତ ରେବତୀ କାନ୍ତ ଶାସ୍ତ୍ରୀ ଯିଏ କି ଜଣେ ପ୍ରକୃତି ପ୍ରେମି, ରାଜଧାନୀ ରେ ଅନେକ ଗଛ ଲଗେଇଛନ୍ତି ସେ ଲାଗିଲେ ଗଛର ଯତ୍ନ ନେବାରେ ।

ଟିକିଏ ବଡ଼ ହେଲା ବେଳକୁ ଲୋକେ ଗଛ ଡାଳକୁ ଦାନ୍ତ କାଠି କରିବା ଆରମ୍ଭ କଲେ।ତେଣୁ ମୋ ବାବା ସେ ତାର ଜାଲିରେ ଏକ ଲେଖା ଟାଙ୍ଗିଲେ ଏ ଗଛ ଆମ ସମସ୍ତଙ୍କର ତେଣୁ ୟାକୁ ବଞ୍ଚିବାକୁ ଦିଅନ୍ତୁ।ସେହି ସମୟରେ ମୁନିସ୍ପାଲଟି ଏକ ଲିମ୍ବ ଓ କୃଷ୍ଣ ଚୁଡା ଗଛ ଆମ ଗଳିରେ ଲଗେଇ ଥିଲା । ଏବଂ ଧିରେ ଧିରେ ଗଛ ଗୁଡ଼ିକ ଖୁବ୍ ସୁନ୍ଦର ହେଇ ବଢିଲେ ଆମକୁ ଅମ୍ଳଜାନ,ଔଷଧିୟ ବାୟୁ,ଛାଈ ଓ ଫୁଲ ଦେଇ ଆମ ଗଳିର ଶୋଭା ବଢେଇଲେ ।କିନ୍ତୁ ସେହି ଗଛ ଦୁଇଟି ସିମେଣ୍ଟ ଓ କଙ୍କ୍ରୀଟ ଜଙ୍ଗଲ ର ତାଡ଼ନା ସହି ନପାରି କିଛି ବର୍ଷ ତଳେ ହାଲକା ପବନରେ ବି ଆତ୍ମହତ୍ୟା କଲେ,ହେଲେ ଏକାଟିଆ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଏହି ବଉଳ ଗଛ ।  ମୋ ବାବା ୨୦୦୭ ରେ ଚାଲିଗଲେ କିନ୍ତୁ ତାଙ୍କ ଆମ୍ବ ଓ ବଉଳ ଅଛନ୍ତି । ଆଜି ଏହି ବଉଳ ଗଛ ତା ଛାଇରେ ଆଛାଦିତ କରି ରଖିଚି ପ୍ରାୟ ୫୦ ବର୍ଗଫୁଟ ଅଞ୍ଚଳ ।

ଏହି ଗଛରେ ଉପରେ ରୁହନ୍ତି କୁଆ,ଶୁଆ,ଗୋବରା,ବଣି, ପାରା ଓ ଚିର ସହଚର ଗୁଣ୍ଡୁଚି ମୁଷା,ଅହରହ ଏଠି ଲାଗି ରହିଛି ଏମାନଙ୍କ କୋଳାହଳ ଓ ଖେଳ କଷରତ । ଏମାନେ ସମସ୍ତେ ଆମ ଅତିଥି,ଏମାନଙ୍କ ପାଇଁ ସବୁଦିନ ଆମ ପାଚେରୀ ଉପରେ ରଖାଯାଏ ରୁଟି,ପରିବା,ଫଳ ଓ ପାଣି ଇତ୍ୟାଦି,ଏମାନେ ଆମ ମାନଙ୍କ ଠାରୁ ବହୁତ ଅଧିକ ସୃଙ୍ଖଳିତ,ସମସ୍ତେ ଭିନ୍ନ ବର୍ଗର ହେଲେ ବି ଝଗଡା ଲାଗନ୍ତିନି ।  ଏ ଗଛ ତଳର ବାସିନ୍ଦା ହେଲେ କାଳିଆ,କଷରା,ଧଳୁ ଓ ଗେଡା ମାନଙ୍କ ଭଳି ଷଣ୍ଡ ଓ ଚାରି, ପାଞ୍ଚଟି କୁକୁର,ହେଲେ ଏମାନେ କେହି ମାଲିକାନା ଯାହିର କରନ୍ତି ନାହିଁ କି ଝଗଡା ବି କରନ୍ତି ନାହିଁ,ଖୁବ ସୃଙ୍ଖଳିତ ଏମାନେ।ଆମ ଗାଡ଼ି ଗୁଡ଼ିକ ଓ ଆଗନ୍ତୁକ ମାନଙ୍କ ଗାଡ଼ି ଗୁଡ଼ିକ ବି ଏ ଗଛ ଛାଇରେ ରୁହେ ।

ପ୍ରାୟ ୪ ବର୍ଷ ତଳେ ଗୋଟିଏ ଷଣ୍ଡ କୁ ବହୁ କଷ୍ଟ ହେଲା ସାନ ଭାଈ ସ୍ନେକ୍ ହେଲ୍ପ ଲାଇନର ମୁଖ୍ୟ ଓ ବନ୍ୟପ୍ରାଣୀ ପ୍ରେମି ଶୁଭେନ୍ଦୁ ମଲ୍ଲିକ ( Subhendu Mallik ) ଓ ସହଯୋଗି ଙ୍କ ଅକ୍ଳାନ୍ତ ଚେଷ୍ଟା ପରେ ବି ଷଣ୍ଡଟି ମରିଗଲା,ହେଲେ ଆଶ୍ଚର୍ଯ୍ୟ ମୁନିସପାଲଟି ଗାଡ଼ିରେ ତା ଶବ ଗଲା ବେଳେ ତାର ବନ୍ଧୁ ମାନେ ତା ପଛରେ ଅଶ୍ରୁ ବୁହାଇ ଚାଲି ଥିଲେ,କିନ୍ତୁ ମୁକ ସାଖୀ ରହିଲା ବଉଳ ଗଛ।ଯାହା ହେଉ କିଛି ପ୍ରେମି ଯୁଗଳ ବି ଏବେ ଏ ଗଛଟିକୁ ତାଙ୍କ ଆଶ୍ରୟ ଭାବି ନେଇଛନ୍ତି,ସେମାନେ ଏଠି ନିର୍ଲଜ ଭଳି ଘଣ୍ଟାଏ ଠିଆ ହୁଅନ୍ତି।କିନ୍ତୁ କିଛି ଖଟିଖିଆ ଓ ବାସହରା ମଣିଷ ଙ୍କ ପାଇଁ ବର୍ଷା ଦିନକୁ ଛାଡ଼ିଦେଲେ ଅନ୍ୟଦିନ ମାନଙ୍କରେ ଏହି ଗଛ ଛାଇ ହେଉଛି ଆଶ୍ରୟ ସ୍ଥଳ।ଗତ କିଛି ତଳେ ମୁଁ କରୋନା ଆକ୍ରାନ୍ତ ହୋଇ ଆମ ଉପର ମହଲା ଘରେ ଏକାନ୍ତ ବାସରେ ରହିଲା ବେଳେ ଏ ଗଛ ସହ ମୋର ଘନିଷ୍ଠତା ବଢିଲା,କାରଣ ଗଛଟି ତା ଛାଇରେ ଆମ ବାଲ୍କୋନୀ କୁ ଆଛାଦିତ କରି ରଖିଛି ।

ଏଠି ମୁଁ ପ୍ରତିଦିନ ସକାଳ ପ୍ରାୟ ୬ଟା ରୁ ବସି ଗଛ ଓ ଏହାର ବାସିନ୍ଦା ମାନଙ୍କୁ ଘଣ୍ଟା ଘଣ୍ଟା ଅନୁଧ୍ୟାନ କରେ,ତା ଛାଇରେ ବସି ବହି ପଢେ,ଆନନ୍ଦ ପାଏ ଓ ମାଗଣାରେ ଭରପୁର ଅମ୍ଳଜାନ,ଯାହା ଏବେ ଆମେ ଝୁରୁଛୁ । ହେଲେ ଗଛ ମୋତେ କହିନି ତୁ ତ ମୋ ପାଇଁ କିଛି କରିନୁ ମୁଁ କାହିଁକି ତୋତେ ମୋ ଛାଇ,ଫୁଲର ମହକ ଓ ଅମ୍ଳଜାନ ଦେବି,କାରଣ ସେ ଆମ ଭଳି ସ୍ୱାର୍ଥପର ନୁହେଁ।ସେ କାହାକୁ କିଛି କେବେ ମାଗିନି କେବଳ ଦେଇ ଚାଲିଛି, ତେଣୁ ଆସନ୍ତୁ ସମସ୍ତେ ଗଛଟିଏ ଲଗେଇବା ଆମ ପ୍ରାଣୀ ଜଗତକୁ ଓ ପୃଥିବୀ କୁ ବଞ୍ଚାଇବା । (ଶୀଳଭଦ୍ର ଶାସ୍ତ୍ରୀ,ଓକିଲ) ଭୁବନେଶ୍ୱର

Exit mobile version