ଧାନଚାଷରେ ଧାଡିବୁଣା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକର ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆଇ.ଟି.ସି ମିଶନ ସୁନହେରା କଲ ଏବଂ ହର୍ଷ ଟ୍ରଷ୍ଟ , ଗଂଜାମର ସହାୟତାରେ ଅନ-ଲାଇନରେ ଧାନଚାଷରେ ଧାଡିବୁଣା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ଅଶୀଜଣ ଅଗ୍ରଣୀ ଚାଷୀ, କୃଷି ବିଜ୍ଞାନ କେନ୍ଦ୍ର, ଗଂଜାମ୨ ର ବୈଜ୍ଞାନିକ ବନ୍ଧୁଗଣ, ସହକାରୀ କୃଷି ଯନ୍ତ୍ରୀ ଗଣ, ସହକାରୀ କୃଷି ଅଧିକାରୀ ଗଣ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ର ବନ୍ଧୁଗଣ ଯୋଗଦାନ କରିଥିଲେ ।

ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ପ୍ରକାରର ଉନ୍ନତ ବଳଦ ଟଣା ଯନ୍ତ୍ରପାତି ଯଥା ଟି ଉନ୍ନତ ଜୁଆଳି, ଓୟୁଏଟି ମୋଡ ପତ୍ର ଲଙ୍ଗଳ, ବଳଦ ଟଣା ଚକ୍ର ବିଦା, ଓୟୁଏଟି ବଳଦ ଟଣା ଘାସ ବାଛିବା ଯନ୍ତ୍ର, ଓୟୁଏଟି ବଳଦ ଟଣା ଏକ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ର, ବଳଦ ଟଣାପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ର ଇତ୍ୟାଦିର ବ୍ୟବହାର, ଉପାଦେୟତା ବିଷୟରେ ଅନ-ଲାଇନରେ ଏକ ଉପସ୍ଥାପନା ମାଧ୍ୟମରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ, ହର୍ଷ ଟ୍ରଷ୍ଟର ବରିଷ୍ଠ ସଂଯୋଜକ ଶ୍ରୀଯୁକ୍ତ ଅଜୟ ପାଣ୍ଡେ ଓ ସ୍ଥାନିୟ ସଂଯୋଜକ ଶ୍ରୀଯୁକ୍ତ ଶଶିକାନ୍ତ ବେହେରା ପ୍ରମୁଖ ଆଗାମୀ ଦିନରେ ଧାନଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ସମସ୍ତଙ୍କ ସହାୟତା କାମନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ଵୈଜ୍ଞାନିକ ଓ ମୁଖ୍ୟ ଡଃ ସୁସ୍ମିତା ମହାନ୍ତି ଗଂଜାମ ଜିଲ୍ଲାରେ ବଳଦ ଟଣାପାଞ୍ଚ ଧାଡ଼ିଆ ବିବିଧ ମଞ୍ଜି ଓ ସାର ବୁଣା ଯନ୍ତ୍ରର ବ୍ୟବହାର ଉପରେ ଗୁରୁତ୍ୱରୋପ କରିଥିଲେ ।

ଆଲୋଚନାରେ ଭାଗନେଇ ନିମାପଡା ଅଂଚଳର ଉଦ୍ଯୋଗୀ ଯୁବ ଚାଷୀ ସଂଗ୍ରାମ ପାତ୍ର ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କାମ ସହ ଘାସ ମରା ଔଷଧର ସଠିକ ବ୍ୟବହାର ସମ୍ବନ୍ଧରେ ବୁଝାଇଥିଲେ । ପ୍ରକଳ୍ପର କୃଷି ଯନ୍ତ୍ରୀ ପ୍ରଫେସର ଅଜୟ କୁମାର ଦାଶ ବିଗତ ବର୍ଷ ମାନଙ୍କରେ ଗଂଜାମ ଜିଲ୍ଲାରେ ପ୍ରକଳ୍ପ ତରଫରୁ ଅନେକ କ୍ଷେତ୍ରପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇସାରିଛି ବୋଲି ପ୍ରକାଶ କରିଥିଲେ । ସମ୍ପ୍ରତି ଧାନ ଚାଷରେ ଯାନ୍ତ୍ରିକ ପ୍ରଣାଳୀରେ ଧାଡି ବୁଣା କରାଗଲେ ଛଟା ବୁଣା ତୁଳନାରେ ପ୍ରାୟ ଅଧା ବିହନରେ ଅର୍ଥାତ ଏକର ପିଛା ମାତ୍ର ୧୫ କେଜି ବିହନରେ ଧାନ ଚାଷ କରାଯାଇପାରିବ ଓ ଉତ୍ପାଦନ ଶତକଡା ୨୦ ଭାଗ ଯାଏଁ ବଢିପାରିବ ବୋଲି ବିଶେଷଣଜ୍ଞ ମାନେ ମତ ରଖିଥିଲେ ଯାହାକି ଏହି ଅଂଚଳର ଚାଷୀମାନଙ୍କ ପାଇଁ ବିଶେଷ ଲାଭଜନକ ହେବ ଏଥିରେ ସନ୍ଦେହ ନାହିଁ । ତେବେ ଏହିସବୁ ଧାଡି ବୁଣା ଯନ୍ତ୍ର ଗୁଡିକ ଉପରେ ସରକାରୀ ରିହାତିର ବ୍ୟବସ୍ଥା ରହିଛି ଓ ଆବଶ୍ୟକସ୍ଥଳେ ଭଡା ସୂତ୍ରରେ ଚାଷୀଭାମାନେ ଏହିପରି ଯନ୍ତ୍ର ଗୁଡିକର ବ୍ୟବହାର ସହଜରେ କରିପାରିବେ । ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ସରକାରୀ କୋଭିଡ କଟକଣା ମଧ୍ୟରେ ପ୍ରକଳ୍ପ ତରଫରୁ ଆୟୋଜିତ ଏହିପରି ଅନ-ଲାଇନ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version