‘ୟସ’ ବାତ୍ୟାର ପ୍ରଭାବରେ ବୈତରଣୀ ନଦୀରେ ପ୍ରଥମ ବନ୍ୟା, ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ, କୋରାଇର ବହୁ ଗ୍ରାମ ପ୍ରଭାବିତ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) କୋରାଇ :- ବାତ୍ୟା ‘ୟସ’ର ପ୍ରଭାବରେ ବୈତରଣୀ ନଦୀରେ ଉପରମୁଣ୍ଡ କେନ୍ଦୁଝର ଜିଲାର ଠାକୁରମୁଣ୍ଡା, ସୋମପାଟଣା ଆଦି ସ୍ଥାନରେ ପ୍ରବଳ ଅତିପ୍ରବଳ ଭାବେ ବର୍ଷା ହୋଇଥିବାର ବୈତରଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି । ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ରହିଥିବା ବେଳେ ଏହାର ଉପରେ ୩୮.୭୦ମିଟର ବନ୍ୟାଜଳ ପ୍ରବାହିତ ହେଉଛି ।

ସେହିପରି ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଅପରାହ୍ନ ସୁଦ୍ଧା ୧୮.୦୦ମିଟରେ ଜଳ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ପ୍ରଭାବରୁ ବୈତରଣୀ ନଦୀରେ ଆଗୁଆ ବନ୍ୟାଜଳ ପ୍ରଭାହିତ ହୋଇଥିବାରୁ କୋରାଇ ବ୍ଲକର ରଣପୁର, ଗୌରପୁର, ମକୁନ୍ଦପୁର, ବନ୍ଦାଳୋ, ମୂଳାପାଳ ଆଦି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି ।

ବୈତରଣୀ ନଦୀର ମଥୁରାପୁର ନିକଟରେ ନଦୀବନ୍ଧ ଅସଂପୂଣ୍ଣ ର୍ ରହିଥିବାରୁ ନଦୀରୁ ପାଣି ବହାରି ମକୁନ୍ଦପୁର, ନିଶଙ୍ଖପୁର, ନାୟାହାଟପାଟଣା, ମଙ୍ଗଳପୁର , ସାଆଁଳା ଆଦି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବା ସହ ଖରିଫ ଚାଷ ପାଇଁ ପ୍ରସ୍ତୁତ ବହୁ ଚାଷ ଜମି ଜଳମଗ୍ନ ହୋଇଛି । ନଦୀର ପଠାରେ ଅବସ୍ଥିତ ବନ୍ଦାଳୋ ପଂଚାୟତର ଦୁଲାଖାପାଟଣା, ଗମ୍ଭାରିଆ, ଶାଳବା ଆଦି ଗ୍ରାମରେ ବନ୍ୟା ଜଳ ପ୍ରବେଶ କରି ଜଳବନ୍ଦୀରେ ରଖିଛି ।

ଆଜି ରାତି ସୁଦ୍ଧା ବନ୍ୟାଜଳ ଅଧିକ ପ୍ରବାହିତ ହେବା ଆଶଙ୍କା ଥିବାରୁ ନଦୀପଠା ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ୍ୟା ଓ ବତ୍ୟା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ବିପନ୍ନ ଲୋକଙ୍କ ନେଇ ରଖାଯିବା ସହ ବନ୍ୟାଜଳ ଅଧିକ ହେଲେ ତାହାର ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ସଯାଗ ରହିଥିବା କୋରାଇ ବିଡିଓ ଶ୍ୱେତା ସ୍ନିଧା ସୂଚନା ଦେଇଛନ୍ତି ।     ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version