ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାରମ୍ଭ ମନ୍ଦିର ପରିସରରେ ପୂଜାର୍ଚ୍ଚନା, ଭକ୍ତଙ୍କୁ ବାରଣ : ଯାତ୍ରା ପ୍ରେମୀ ଅସନ୍ତୋଷ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ହିଞ୍ଜିଳିକାଟୁ :-  ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଗୁରୁବାର ଶେଷ ହେବ । ଚଳିତ ବର୍ଷ କେଉଟ ବାଡ଼ ପକ୍ଷରୁ ମଙ୍ଗଳ ଓ ଗୁରୁବାର ପାଳନ କରାଯିବାକୁ ଥିବା ବେଳେ ବୁଧବାର ରଙ୍ଗଣିବାଡ଼ ପକ୍ଷରୁ ପାଳନ କରାଯିବା ପାଇଁ ସ୍ଥିରିକୃତ ହୋଇଥିଲା । ହେଲେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଯାତ୍ରାତ୍ସୋବ ପାଳନ କରିବା ଦିଗରେ ପ୍ରଶାସନ ରୋକ ଲଗାଇଛି । ୧୯୪୨ ମସିହାରେ ସ୍ଥାନୀୟ ଅଂଚଳରେ ମହାମାରୀ ବ୍ୟାପିବା ପରେ ସ୍ଥାନୀୟ ଅଂଚଳର ବହୁ ଲୋକେ ମୃତ୍ୟୁ ବରଣ କରିଥିଲେ । କାଟୁବାସୀ ଅନ୍ୟଉପାୟ ନପାଇ ସହରର ଇଷ୍ଟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମରୁ ମହାମାରୀ ଆପେ ଉଭେଇ ଯାଇଥିଲା ।

ସେହିଦିନ ଠରୁ ଦୀର୍ଘ ୭୯ବର୍ଷ ଧରି ହିଞ୍ଜିଳିକାଟୁ ସହରରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପାଳନ କରାଯିବା ସହ ଠାକୁରଙ୍କୁ ପ୍ରତ୍ୟହ ରାତିରେ ବାଦ୍ୟ ବାଜଣା, ହରିବୋଲ, ହୁଳହୁଳି ସହ ଭକ୍ତଙ୍କ ଗହଣରେ ଗ୍ରାମ ପରିକ୍ରମା କରାଯାଉଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ହିଞ୍ଜିଳିକାଟୁ ସହରରେ ଯାତ୍ରାତ୍ସୋବ ପାଳନ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଯାତ୍ରା ପରିଚାଳନା କମିଟିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ନିତିକାନ୍ତି ଓ ବିଧି ବିଧାନ ସହକାରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବା ସହ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଓ ପୂଜାର୍ଚ୍ଚନାରୁ ବାରଣ କରାଯାଇଛି । ମହାମାରୀରୁ ରକ୍ଷା କରିଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବାରୁ ସ୍ଥାନୀୟ ଅଂଚଳର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି ।  ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version