କରୋନା କୁ ବେଫିକର , ରାତି ଯାଏଁ ଚାଲୁଛି ଗାଁ ଦୋକାନ ଗ୍ରାମାଞ୍ଚଳରେ କରୋନା କଟକଣାକୁ ଫୁ : ନିକଟ ଭବିଷ୍ୟତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା

ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର )ହିଞ୍ଜିଳିକାଟୁ :- କରୋନାର ଦ୍ଵିତୀୟ ଲହର ସାରା ଓଡ଼ିଶାରେ ସୃଷ୍ଟି କରିଛି ଭୟ ଓ ଆତଙ୍କର ବାତାବରଣ।ଲୋକଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଇ ସରକାର କରୋନା ମୁକାବିଲା ଦିଗରେ ଜାରୀ ରଖିଛନ୍ତି ନିରବିଛିନ୍ନ ପ୍ରୟାସ। ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଆବିର୍ଭାବ ହେବା ପରେ କେବଳ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କିନ୍ତୁ କିଛି ଦିନ ପରେ ସଂକ୍ରମଣର ସ୍ଥିତି କ୍ରମଶଃ ବେହାଲ ହେଉଥିବା ଅନୁଧ୍ୟାନ କରି ପ୍ରଥମେ ରାଜ୍ୟରେ ଘୋଷଣା କରିଥିଲେ ନାଇଟକର୍ଫ୍ୟୁ ଓ ପରେ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା । ପରିସ୍ଥିତି ଜଟିଳତା ଆଡକୁ ମୁଁହାଇ ଏକ ବିପର୍ଯ୍ୟୟ ପରିବେଶ ସୃଷ୍ଟି କରିଥିଲା।ପ୍ରଥମରୁ ହିଁ ଲକ ଡାଉନ ସପକ୍ଷରେ ନ ଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ସାରା ରାଜ୍ୟରେ ଘୋଷଣା କରିଥିଲେ ଗତ ୫ ତାରିଖ ଠାରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡାଉନ ପ୍ରକ୍ରିୟା। ଦିନକୁ ଦିନ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉପରେ ନଜର ରଖି ରାଜ୍ୟ ବାସୀଙ୍କ ପାଇଁ ପୁଣି ଦ୍ଵିତୀୟ ଥର ସକାଶେ ଲକ ଡାଉନ ପ୍ରକ୍ରିୟା ଆସନ୍ତା ଜୁନ ୧ ତାରିଖ ସକାଳ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ।
ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହି ମହାମାରୀର ଦୃଢ଼ ମୁକାବିଲା ହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । କିଛି ସେବାକୁ କଟକଣା କରିଥିଲା ବେଳେ କିଛି ସେବାରେ କଟକଣା ମୁକ୍ତ କରାଯାଇଛି। ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଗତ କିଛି ଦିନ ଧରି କୋଭିଡ କଟକଣାକୁ ଅବମାନନା କରି ବହୁ ଲୋକଙ୍କୁ ନେଇ ବାହାଘର ଓ ଶୁଦ୍ଧି କ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କିଛି ଭୋଜି ଆୟୋଜକ ସ୍ଥାନୀୟ ସହରର ବଡ ବଡ ରାସନ ଦୋକାନୀ ଙ୍କ ଠାରୁ ଭୋଜି ସାମଗ୍ରୀ କିଣାକିଣି କରି ଅଗ୍ରୀମ ମହଜୁଦ ରଖୁଥିବ ବେଳେ କିଛି ଆୟୋଜକ ଗ୍ରାମାଞ୍ଚଳରେ ଥିବା ରାସନ ଦୋକାନ ରୁ ଭୋଜି ସରଞ୍ଜାମ କିଣାକିଣି ଭୋଜି ଆୟୋଜନ କରୁଥିବା ଜଣାପଡିଛି । ସ୍ଥାନୀୟ ସହରରେ କୋଭିଡ ନିୟମକୁ ପ୍ରଶାସନ ପକ୍ଷରୁ କଡାକଡି କରାଯାଇଛି। ରାସନ ଦୋକାନ ସମେତ ପନିପରିବା,ଫଳ ଦୋକାନ ଓ ଦୁଗ୍ଧ ବିକ୍ରି ଦୋକାନ ଗୁଡିକ ନିର୍ଦ୍ଦିଷ୍ଟ ସମୟାନୁଯାୟୀ ବନ୍ଦ ରହୁଥିବା ବେଳେ ଗ୍ରାମାଞ୍ଚଳରେ ଥିବା ସମସ୍ତ ପ୍ରକାର ଦୋକାନ ବଜାର ପ୍ରାୟତଃ ସବୁବେଳେ ଖୋଲା ରହୁଥିବା ଜଣାପଡିଛି ।
କେବଳ ଦିନବେଳା ଘଣ୍ଟେ କିମ୍ବା ୨ ଘଣ୍ଟା ବନ୍ଦ ରହୁଥିବା ବେଳେ ବାକି ସମୟରେ ଚା,ହୋଟେଲ, ଜଳଖିଆ,ପାନ ପୁଡ଼ିଆ ଦୋକାନ ସହ ସେଲୁନ ଦୋକାନରେ ଲୋକଙ୍କ ଗହଳ ଚହଳ ଓ ଭିଡ଼ ଜମୁଥିବା ଜଣା ପଡ଼ିଛି । ଏପରିକି ସପ୍ତାହାନ୍ତ ସଟ ଡାଉନ ରେ କେବଳ ଔଷଧ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିଲା ବେଳେ ସ୍ଥାନୀୟ ଥାନା ରାଳବ, ଶିକିରି ଶାସନଆମ୍ବଗାଁ, ଗଣ୍ଡଳା, ବେଲଗାଁ, ପଳାସୀ, ଦୁର୍ବନ୍ଧ,ନିମିଗାଁ,କଞ୍ଚୁରୁ ଶରଧାପୁର, ସାରୁ, ସମରଝୋଳ, ବଡ଼ଖଣ୍ଡି, ମକରଝୋଳ, ବୁରୁପଡା, ପୋଡିଙ୍ଗି ଆଦି ଗ୍ରାମରେ ଛୋଟ ବଡ ଦୋକାନ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ସୂଚନା ମିଳିଛି।ଏସବୁ ସ୍ଥାନରେ ରୁଣ୍ଡ ହେଉଥିବା ଲୋକଙ୍କ ମୁଁହରେ ମାସ୍କ ନ ଥିଲା ବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରହୁ ନ ଥିବା ଜଣାପଡିଛି।ବ୍ୟବସାୟଙ୍କ ଦୋକାନରୁ ପଞ୍ଚସୁତ୍ରୀ ନିୟମ ଉଭାନ ହୋଇଯାଇଛି।ସବୁଠାରୁ ଆଲୋଚ୍ୟ ପ୍ରସଙ୍ଗଟି ହେଲା ହିଞ୍ଜିଳି ଅବକାରୀ ଥାନା ଅଧୀନରେ ଥିବା ଦେଶୀ ମଦ ଖୁଚୁରା ବିକ୍ରୟ କେନ୍ଦ୍ର ଗୁଡିକ କରୋନା ନିୟମ ପାଳନ କରୁ ନ ଥିବା ସୂଚନା ମିଳିଛି । ସ୍ଥାନୀୟ ବ୍ଳକ ଖରିଡା, ଶାସନ ଆମ୍ବଗାଁ, ନନ୍ଦିକ, ଦାରୁଭଦ୍ରା, ଦୁର୍ବନ୍ଧ, କଞ୍ଚୁରୁ, ଖଣ୍ଡରା, ସାରୁ ଆଦି ଗ୍ରାମରେ ଦେଶୀମଦ ବିକ୍ରୟ କେନ୍ଦ୍ର ଗୁଡିକରେ ଲକଡାଉନ ଓ ସଟ ଡାଉନ କଟକଣା ଅବମାନନା କରି ଢେର ରାତ୍ରୀ ଯାଏଁ ବିକ୍ରିବଟା କରୁଥିବା ଜଣାପଡିଛି।
ପ୍ରଶାସନ ପକ୍ଷରୁ ଏସବୁ ଦୋକାନ ଗୁଡିକ ପ୍ରତି ବିଶେଷ ଦୃଷ୍ଟି ରହୁ ନ ଥିଲା କାରଣରୁ ମୁଖ୍ୟ ରାସ୍ତା ଘାଟରେ ମଦ୍ୟପଙ୍କ ଉତ୍ପାତ ବୃଦ୍ଧି ପାଉଛି।ଗତ କିଛି ଦିନ ଧରି ସହର ଅପେକ୍ଷା କରୋନା ଗାଁ ମୁଁହା ହୋଇଛି। ଗ୍ରାମାଞ୍ଚଳ ମୁଁହା କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଅର୍ପଣ କରିଛନ୍ତି।କିନ୍ତୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନେ କରୋନା ମୁକାବିଲା ପ୍ରତି ବିମୁଖ ଥିବା ଦେଖାଯାଇଛି। ଫଳରେ ଗ୍ରାମରେ ରୀତିମତ ଆୟୋଜିତ ହେଉଛି ଭୋଜିଭାତର ମହା ଆସର। ଆଉ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି। ରାଜ୍ୟ ସରକାର ସମେତଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। ପରିତାପର ବିଷୟ ଏଥିପ୍ରତି ଅମାନିଆ ମାନେ ସଚେତନ ହେଉନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି । ଏ ଦିଗରେ ଲୋକଙ୍କ ମନରେ ଜନସଚେତନତା ସୃଷ୍ଟି ହେଲେ ପରିସ୍ଥିତିରେ ସୁଧାର ଆସିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।ଏଥିସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନ୍ଫୋର୍ସମେଣ୍ଟ ଚଢ଼ାଉକୁ ଜୋରଦାର କରିବା ସପକ୍ଷରେ ମଧ୍ୟ ସଚେତନ ମହଲରେ ମତ ପ୍ରକାଶ ପାଇଛି। (ରିପୋର୍ଟ : ଶୁସାନ୍ତ ପ୍ରଧାନ)