ଟ୍ରକ ସହ ବାଇକ ମୁହାଁମୁହିଁ : ଜଣେ ମୃତ, ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ଶୁକ୍ରବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ସାରୁ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସିମେଂଟ ବୋଝେଇ ଟ୍ରକ (ନଂ-ୟୁକେ ୦୬ ସିଏ ୮୮୧୩) ସହ ଏକ ବାଇକ (ନଂ- ଓଡ଼ି ୦୭ଏଜି ୩୨୦୩)ର ମୁହାଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥୀ ଜଣକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଆସିକା ଥାନା କେ. ନୁଆଁପଲ୍ଲୀର ଧର୍ମେଶ ପାତ୍ର (୩୫) ଓ ଗୁରୁତର ଜଣକ ଆସିକା ଥାନା ଦେବଭୂମି ଗ୍ରାମର ସଂଯୁକ୍ତା ପ୍ରଧାନ (୨୯) ବୋଲି ଜଣାପଡ଼ିଛି ।

ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଜଗନ୍ନାଥପୁର ଅଂଚଳରୁ ବାଇକ ଯୋଗେ ଧର୍ମେଶ ଓ ସଂଯୁକ୍ତା ଆସିକା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରେ ଆସୁଥିବା ଏକ ସିମେଂଟ ବୋଝେଇ ଟ୍ରକ ସହ ସାରୁ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ବାଇକ ଚାଳକ ଓ ସାଥୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ ) 

Exit mobile version